ଛତ୍ରପୁର, ୧୬।୬(ବିଦ୍ୟାଧର ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ପର୍ବ ଉପଲକ୍ଷେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଏକ ୬-ଓଭର ବିଶିଷ୍ଟ କ୍ରିକେଟ ଟୁର୍ନାମେଣ୍ଟ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବାବା ବାଲୀ ଲୋକନାଥ ଖେଳ ପଡ଼ିଆରେ ଆୟୋଜିତ ଏହି ରୋମାଞ୍ଚକର ଟୁର୍ନାମେଣ୍ଟରେ ଛତ୍ରପୁର ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି।
ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ମଲାଡ଼ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ପ୍ରତିନିଧି ଲିଙ୍ଗରାଜ ମହାପାତ୍ର ଯୋଗଦେଇ ଟୁର୍ନାମେଣ୍ଟକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଇଁଚପୁର ପଞ୍ଚାୟତ ସମିତି ସଭ୍ୟ ଏନ୍. ଜୟକୃଷ୍ଣ ରେଡି, ପି. ନୀଳାଞ୍ଚଳ ରେଡି, ସୂର୍ଯ୍ୟ, ବସନ୍ତ ଏବଂ ରାଜୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ରମ୍ଭା ଏବଂ କଲ୍ୟାଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସମସ୍ତ ଲିଗ୍ ମ୍ୟାଚ୍ ଶେଷ ହେବା ପରେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଛତ୍ରପୁର ଓ ରମ୍ଭା ଦଳ ମଧ୍ୟରେ ମହାଲଢ଼େଇ (ଫାଇନାଲ ମ୍ୟାଚ୍) ହୋଇଥିଲା। ମ୍ୟାଚରେ ରମ୍ଭା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୫୦ ରନ କରିବାକୁ ସକ୍ଷମ ହୋଇଥିଲା। ୫୧ ରନର ସହଜ ବିଜୟ ଲକ୍ଷ୍ୟକୁ ପିଛା କରି ଛତ୍ରପୁର ଟିମ୍ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲା ଏବଂ ଆବଶ୍ୟକ ରନ ସଂଗ୍ରହ କରି ଚମ୍ପିୟାନ ଟ୍ରଫି ହାତେଇଥିଲା।
ମ୍ୟାଚ୍ ଶେଷରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଅତିଥିମାନଙ୍କ ଦ୍ୱାରା ବିଜୟୀ ଛତ୍ରପୁର ଦଳକୁ ଚମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ ଯେ, ସମାଜରେ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଭାଇଚାରା ଓ ସଦଭାବନା ସୃଷ୍ଟି କରିବା ପାଇଁ ଏଭଳି କ୍ରୀଡ଼ା ପ୍ରତିଯୋଗିତାର ବହୁତ ଆବଶ୍ୟକତା ରହିଛି।
ଏହି ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟକୁ କେ. ଏଲେୟା ରେଡି, ଏସ. ନୀଳକଣ୍ଠ ରେଡି ଏବଂ ଡି. ଶିବ ରେଡି ପ୍ରମୁଖ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ। ସ୍ଥାନୀୟ କ୍ରୀଡ଼ାପ୍ରେମୀ ଓ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।