ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମ ମେନ ରୋଡ଼ର ଯୁକ୍ତ ୩ ଛାତ୍ର ସୁଧାକର ମାଦଳା ଗୁରୁବାର ଅପରାହ୍ନ ୧ଟାରେ ମୃତ୍ୟୁବରଣ କରିଥିଲେ। ଶୁକ୍ରବାର ସକାଳେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶକ୍ରମେ ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର ମିଶ୍ର ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ଭେଟି ସାନ୍ତନା ଦେବା ସହ ସୁଧାକରଙ୍କ ବାପା ବିଜୟ କୁମାର ମାଦଳାଙ୍କୁ ରେଡକ୍ରସ ପାଣ୍ଠିରୁ ଅନ୍ତେଷ୍ଟି କ୍ରିୟା ପାଇଁ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ଜଣାପଡିଛି। ବିଜୟଙ୍କ ଏକମାତ୍ର ପୁଅ ସୁଧାକର ବ୍ରହ୍ମପୁର ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବି – ଟେକ ଇଞ୍ଜିନିୟରିଂ ପାଠ ପଢୁଥିଲେ। କୌଣସି କାରଣରୁ ସେଠାରେ ଅଧା ପାଠ ପଢି ଘରକୁ ଚାଲିଆସିଥିଲେ। ପରେ ସେ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଯୁକ୍ତ ୩ ବିଜ୍ଞାନ ବିଭାଗରେ ନାମ ଲେଖାଇ ପଢୁଥିଲେ। କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଗୁରୁବାର ମଧ୍ୟାହ୍ନ ପ୍ରାୟ ୧ ଟାରେ ସେ ଘର ମଧ୍ୟରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଇଆଇସି କହିଛନ୍ତି। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।


