ନୂଆଦିଲ୍ଲୀ,୨୧ା୪: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମର ଉତ୍ତର ଷ୍ଟାଣ୍ଡରୁ ଆଝାରୁଦ୍ଦିନଙ୍କ ନାମ ହଟାଇବାକୁ ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏଶନ (ଏଚ୍ସିଏ)ର ଓମ୍ବୁଡସ୍ମ୍ୟାନ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିବା ଲାଗି ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ତେଲଙ୍ଗାନା ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ଯୋଜନା କରୁଛନ୍ତି।
ଏଚ୍ସିଏର ସଦସ୍ୟ ଲଡର୍ସ କ୍ରିକେଟ କ୍ଲବ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଆଧାରରେ ଏଚ୍ସିଏର ଏଥିକ୍ସ ଅଧିକାରୀ ଥିବା ଅବସରପ୍ରାପ୍ତ ଜଷ୍ଟିସ ଭି. ଈଶ୍ୱରେୟା ଏଭଳି ନିଷ୍ପତ୍ତି ନେଇଛନ୍ତି। ଲଡର୍ସ କ୍ରିକେଟ କ୍ଲବ ପକ୍ଷରୁ କରାଯାଇଥିବା ଆବେଦନରେ ଦର୍ଶାଯାଇଥିଲା, ୨୦୧୯ ଡିସେମ୍ବରରେ ଷ୍ଟାଡିୟମର ଉତ୍ତର ଷ୍ଟାଣ୍ଡକୁ ଆଝାରୁଦ୍ଦିନଙ୍କ ନାମରେ ନାମିତ କରିବା ଲାଗି ନିଷ୍ପତ୍ତି ନିଆଗଲା ବେଳେ ଭାରତର ପୂର୍ବତନ ଅଧିନାୟକ ଏଚ୍ସିଏର ପୂର୍ବତନ ସଭାପତି ଭାବେ କାର୍ଯ୍ୟକାରୀ ପରିଷଦରେ ବସିଥିଲେ। ଏଥିଯୋଗୁ ସେ ଏଚ୍ସିଏର ନିୟମ ଭଙ୍ଗ କରିଥିଲେ।
ମୁଁ ନିଶ୍ଚିତ ଭାବେ ଆଇନର ବାଟ ଆପଣେଇବି ଏବଂ ଓମ୍ବୁଡସ୍ମ୍ୟାନଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲାଗି ହାଇକୋର୍ଟରେ ଆବେଦନ କରିବି। ଭାରତର ଅଧିନାୟକଙ୍କ ନାମ ଷ୍ଟାଣ୍ଡରୁ ହଟାଇବାକୁ ନିର୍ଦ୍ଦେଶ ଦେବା ଏକ ଲଜ୍ଜାର ବିଷୟ ବୋଲି ଆଝାରୁଦ୍ଦିନ କହିଛନ୍ତି।
ଏତଦ୍ବ୍ୟତୀତ ସେ ଓମ୍ବୁଡସ୍ମ୍ୟାନଙ୍କ ନିର୍ଦ୍ଦେଶର ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଆସୋସିଏଶନର ସମ୍ବିଧାନ ଅନୁଯାୟୀ, ଓମ୍ବୁଡସ୍ମ୍ୟାନ ବା ଏଥିକ୍ସ ଅଧିକାରୀଙ୍କ କାର୍ଯ୍ୟକାଳ ୧ ବର୍ଷ। ଏହି ଘଟଣାରେ ଓମ୍ବୁଡସ୍ମ୍ୟାନଙ୍କ କାର୍ଯ୍ୟକାଳ ୨୦୨୫ ଫେବୃଆରୀ ୧୮ ତାରିଖରେ ଶେଷ ହୋଇଯାଇଛି। ଏହି ତାରିଖ ପରେ ତାଙ୍କ ଦ୍ୱାରା ପାରିତ ସମସ୍ତ ନିର୍ଦ୍ଦେଶ ମୂଲ୍ୟହୀନ। ତାଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯାଇ ନାହିଁ। ତାଙ୍କ କାର୍ଯ୍ୟକାଳରେ ବୃଦ୍ଧି କେବଳ ଏଜିଏମ୍ରେ କରାଯାଇପାରିବ, ଯାହା କି ଏପର୍ଯ୍ୟନ୍ତ ହୋଇନାହିଁ। ଏଣୁ ସେ କେଉଁ ଭଳି ନିର୍ଦ୍ଦେଶ ଜାରି କଲେ।


