ଆୟୁଷ୍ମାନ ଯୋଜନାର ମିଛ ଧରାପଡ଼ିଛି: ବିଜେଡି

ଭୁବନେଶ୍ବର,୩ା୨(ବ୍ୟୁରୋ):ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) କାର୍ଯ୍ୟକାରୀ କରୁଛନ୍ତି। କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଭାବେ ଜଣାଶୁଣା । ଓଡ଼ିଶା ଭାଜପା ପକ୍ଷରୁ ନିୟମିତ ଭାବେ ଆୟୁଷ୍ମାନ ଭାରତ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାଠାରୁ ଭଲ ବୋଲି କୁହାଯାଉଛି। ତେବେ ଆୟୁଷ୍ମାନ ଯୋଜନାକୁ ନେଇ ରାଜ୍ୟ ଭାଜପା ଚଳାଇଥିବା ମିଥ୍ୟା ପ୍ରଚାର ପଦାରେ ପଡ଼ିଛି ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଅଭିଯୋଗ କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ଗୁରୁବାର ଶ୍ରୀମୟୀ କହିଛନ୍ତି, ୨୦୨୩-୨୪ କେନ୍ଦ୍ର ବଜେଟରେ ପ୍ରମୁଖ ଯୋଜନାଗୁଡ଼ିକ ମଧ୍ୟରୁ ୭ ନମ୍ବର ସ୍ଥାନରେ ଥିବା ଆୟୁଷ୍ମାନ ଭାରତ ଯୋଜନା ପାଇଁ ମାତ୍ର ୭୨୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଭାରତର ୨୮ ରାଜ୍ୟ ଏବଂ ୮ କେନ୍ଦ୍ରଶାସିତ ଅଞ୍ଚଳକୁ ବିଚାରକୁ ନେଲେ ପ୍ରତି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଭାଗରେ ଆୟୁଷ୍ମାନ ଭାରତ ଯୋଜନାରେ ବର୍ଷକୁ ପ୍ରାୟ ୨୦୦ କୋଟି ଟଙ୍କା ପଡ଼ିବ ା ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାୟ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଯାହାକି ଓଡ଼ିଶାର ଜିଲା ପିଛା ବାର୍ଷିକ ପ୍ରାୟ ୨୦୦ କୋଟି ଟଙ୍କା। କେନ୍ଦ୍ର ଦ୍ୱାରା ପ୍ରତିବର୍ଷ ଦିଆଯିବାକୁ ଥିବା ୨୦୦ କୋଟି ଟଙ୍କାର ଆୟୁଷ୍ମାନ ଯୋଜନା ଅର୍ଥ କେବଳ ଓଡ଼ିଶାର ଗୋଟିଏ ଜିଲାକୁ ଅନ୍ତର୍ଭୁକ୍ତ କରିବ । ଓଡ଼ିଶାର ବାକି ୨୯ ଜିଲା କୁଆଡ଼େ ଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ଭାଜପା ନେତାମାନେ ଚାହୁଁଛନ୍ତି ସେମାନଙ୍କ ରାଜନୈତିକ ଫାଇଦା ପାଇଁ ଓଡ଼ିଶାର ମହିଳାମାନେ ବିଏସ୍‌କେୱାଇରେ ୧୦ ଲକ୍ଷ ଟଙ୍କାର ଲାଭ ନ ପାଇ ଆୟୁଷ୍ମାନରେ ଏହାର ଅଧା ଅର୍ଥାତ୍‌ ୫ ଲକ୍ଷ ଟଙ୍କାର ଲାଭ ପାଆନ୍ତୁ। ଏହାପରେ ଯଦି ଭାଜପା ନେତାମାନେ ଆୟୁଷ୍ମାନ ଏବଂ ବିଏସ୍‌କେୱାଇ ମଧ୍ୟରେ ଥିବା ପାର୍ଥକ୍ୟ ବୁଝିବାରେ ସକ୍ଷମ ହୋଇନାହାନ୍ତି, ତେବେ ସେମାନେ ବୁଝିବା ପର୍ଯ୍ୟନ୍ତ ବୁଝାଇ ବହୁତ ଖୁସି ହେବୁ ବୋଲି ଶ୍ରୀମୟୀ କହିଛନ୍ତି।