୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ ନିର୍ମାଣକାରୀଙ୍କୁ ନୋଟିସ ପ୍ରଦାନ କରାଯାଇଥିବାବେଳେ ଏବେ ସ୍ବାସ୍ଥ୍ୟ ବିଭାଗ ଷ୍ଟେଟ ହେଲ୍‌ଥ ଆସ୍ୟୁରାନ୍ସ ସୋସାଇଟି(ଏସ୍‌ଏଚ୍‌ଏଏସ୍‌) ପକ୍ଷରୁ ରାଜଧାନୀରେ ପ୍ରାୟ ୭୮ଟି ଘରୋଇ ହସ୍ପିଟାଲ ଓ ନର୍ସିଂ କେନ୍ଦ୍ରକୁ କାରଣ ଦର୍ଶାଅ ନୋଟିସ କରାଯାଇଥିବା ଜଣାଯାଇଛି। ଏହାକୁ ନେଇ ହସ୍ପିଟାଲ ଓ ନର୍ସିଂ କର୍ତ୍ତୃପକ୍ଷ ଏବେ ଚିନ୍ତାରେ ପଡ଼ିଛନ୍ତି।
ଜନୈକ ହସ୍ପିଟାଲ କର୍ତ୍ତୃପକ୍ଷ ନିଜ ନାମ ଗୋପନ ରଖି କହିଛନ୍ତି, ରାଜ୍ୟ ସରକାର ଯେତେବେଳେ ଆୟୁଷ୍ମାନ ଯୋଜନାରେ ହସ୍ପିଟାଲକୁ ସଂଲଗ୍ନ କଲେ ସେତେବେଳେ ଏହି ଓଡିଏ-ଆକ୍ଟ କଥା ଉଠାଇ ନ ଥିଲେ। ଏବେ ବିଏମ୍‌ସି ଉପରେ ସୁପ୍ରିମକୋର୍ଟଙ୍କ ଛାଟ ବାଜିବାରୁୁ ହସ୍ପିଟାଲ ଉପରେ ଦାଉ ସାଧୁଛନ୍ତି। ଯଦି ଏନେଇ ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ମିଳିତ ଭାବେ କୌଣସି ଉପାୟ ବାହାର ନ କରନ୍ତି  ରୋଗୀସେବା ବିପର୍ଯ୍ୟସ୍ତ ହେବ। ଘରୋଇ ହସ୍ପିଟାଲ ବନ୍ଦ ହେଲେ ରୋଗୀମାନେ ଯେଉଁ ଅସୁବିଧାରେ ପଡ଼ିବେ ସେଥିପାଇଁ ସରକାର ଦାୟୀ ରହିବେ।
ସୂଚନାଯୋଗ୍ୟ, ରାଜ୍ୟର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ତାଲିକାଭୁକ୍ତ ୭୮ ହସ୍ପିଟାଲଗୁଡ଼ିକୁ   ଅନୁମୋଦନ ସମ୍ପର୍କିତ ଦସ୍ତାବିଜ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟେଟ୍‌ ହେଲ୍‌ଥ ଆସ୍ୟୁରାନ୍ସ ସୋସାଇଟି  ପକ୍ଷରୁ ଏନେଇ ସମସ୍ତ ତାଲିକାଭୁକ୍ତ ହସ୍ପିଟାଲକୁ ଚିଠି ଜାରି କରାଯାଇଛି। ଏସ୍‌ଏଚ୍‌ଏଏସ୍‌ର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ପ୍ରଶାସନ) ରତ୍ନାକର ସାହୁ ପ୍ରଦାନ କରିଥିବା ପତ୍ରରେ ଦର୍ଶାଯାଇଛି ଯେ, ଅଧିକାଂଶ ହସ୍ପିଟାଲ ନିଜ କୋଠା ନକ୍ସାରେ ବାଣିଜି୍ୟକ ବ୍ୟବହାର ଦର୍ଶାଇଛନ୍ତି। ଆଉ କେତେକ ହସ୍ପିଟାଲ କେବଳ ଆର୍କିଟେକ୍‌ଚରାଲ୍‌ ମ୍ୟାପ୍‌ ଦାଖଲ କରିଛନ୍ତି। ତେବେ ହସ୍ପିଟାଲ/କ୍ଲିନିକାଲ୍‌ ଏଷ୍ଟାବ୍ଲିଶ୍‌ମେଣ୍ଟ/ଇନ୍‌ଷ୍ଟିଚ୍ୟୁଶନାଲ୍‌ ବ୍ୟବହାର ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କଠାରୁ ଭବନର ବୈଧ ଅନୁମୋଦନ ଥିବା ଆବଶ୍ୟକ।  ସମ୍ପୃକ୍ତ ହସ୍ପିଟାଲଗୁଡ଼ିକୁ ୧୫ଦିନ ମଧ୍ୟରେ ହସ୍ପିଟାଲ ଚାଲୁଥିବା ଭବନଟି ହସ୍ପିଟାଲ/କ୍ଲିନିକାଲ୍‌ ଏଷ୍ଟାବ୍ଲିଶମେଣ୍ଟ ବ୍ୟବହାର ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ବୈଧ ଭାବେ ଅନୁମୋଦିତ ହୋଇଥିବାର ପ୍ରମାଣ ସହ ସ୍ପଷ୍ଟୀକରଣ ଦାଖଲ କରିବାକୁ କୁହାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଦସ୍ତାବିଜ ଓ ସ୍ପଷ୍ଟୀକରଣ ଦାଖଲ ନ କଲେ ଆୟୁଷ୍ମାନ ଯୋଜନାର ନିର୍ଦ୍ଦେଶାବଳୀ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ଏଚ୍‌ଏଏସ୍‌ ପକ୍ଷରୁ କୁହାଯାଇଛି। ଏହାକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଏବେ ଚିନ୍ତାରେ ପଡ଼ିଛନ୍ତି।
Dharitri – Odisha’s No.1 Odia Daily

Share