ରିଭର୍ସ ସ୍ପିଡ୍‌ ପେଣ୍ଟିଂ ମାଧ୍ୟମରେ ବିଶ୍ୱକପ୍‌ର ଶୁଭେଚ୍ଛା ଜଣାଇଲେ ଆୟୁଷ

ପୁରୀ ଅଫିସ, ୧୨ା୧: ବୁଧବାରଠାରୁ ହକି ବିଶ୍ୱକପ୍‌ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ପୁରୀର ଚିତ୍ରଶିଳ୍ପୀ ଆୟୁଷ ମହାପାତ୍ର ଓଲଟା ବା ରିଭର୍ସ ସ୍ପିଡ୍‌ ପେଣ୍ଟିଂ କରି ବିଶ୍ୱକପ୍‌ର ଶୁଭେଛା ଜଣାଇଛନ୍ତି। ଓଡ଼ିଶାର ରିଭର୍ସ ସ୍ପିଡ୍‌ ପେଣ୍ଟର ଭାବେ ଜଣାଶୁଣା ଆୟୁଷ ତାଙ୍କ ଚିତ୍ରକଳା ମାଧ୍ୟମରେ ବିଶ୍ୱକପ୍‌ରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହି ୫ଫୁଟ୍‌ର ରିଭର୍ସ ସ୍ପିଡ୍‌ ପେଣ୍ଟିଂକୁ କାନ୍‌ଭାସରେ ୮ମିନିଟ୍‌ରେ ଶେଷ କରିଛନ୍ତି। ସେ ତାଙ୍କ ଦୁଇହାତରେ ସ୍ପିଡ ପେଣ୍ଟିଂ ଆଙ୍କିଛନ୍ତି। ନିଜ ଚିତ୍ରକଳାରେ ହକି ବିଶ୍ୱକପ ଟ୍ରଫି ସହ ମାସ୍କଟ ଓଲିକୁ ସ୍ଥାନିତ କରିଛନ୍ତି। ସୂଚନାଯୋଗ୍ୟ, ଆୟୁଷ ରିଭର୍ସ ସ୍ପିଡ ପେଣ୍ଟିଂ କରି ୨୦୨୧ରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଥିବାବେଳେ ନାଇଜେରିଆ ଗଟ୍‌ ଟ୍ୟାଲେଣ୍ଟ୍‌ସରେ ଫାଇନାଲିଷ୍ଟ ହୋଇଥିଲେ। ଏଥିସହ ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମ୍ମାନିତ ହୋଇଛନ୍ତି।