Categories: ଜାତୀୟ

‘ଅନ୍‌ଲାଇନ ବେଟିଂ ବିଜ୍ଞାପନରୁ ଦୂରେଇ ରୁହ’

ନୂଆଦିଲ୍ଲୀ,୧୪।୬: ବେଟିଂ ଓ ଜୁଆ ଦେଶର ଅଧିକାଂଶ ଅଞ୍ଚଳରେ ବେଆଇନ ହୋଇଥିବାବେଳେ ଏହା ଗ୍ରାହକଙ୍କର ଗୁରୁତର ସାମାଜିକ ଓ ଆର୍ଥତ୍କ କ୍ଷତି ଘଟାଇଥାଏ। ବିଶେଷ କରି ଯୁବପିଢ଼ି ଓ ପିଲାମାନେ ଏଭଳି ଅନ୍‌ଲାଇନ ଗେମ୍‌ ବିଜ୍ଞାପନ ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି। ତେଣୁ ଅନ୍‌ଲାଇନ ବେଟିଂ ପ୍ଲାଟଫର୍ମଗୁଡ଼ିକର ବିଜ୍ଞାପନରୁ ଦୂରେଇ ରହିବା ଲାଗି ସୂଚନା ପ୍ରସାରଣ ମନ୍ତ୍ରଣାଳୟ ସୋମବାର ସମସ୍ତ ଛାପା, ଇଲେକ୍ଟ୍ରୋନିକ ଓ ଡିଜିଟାଲ ଗଣମାଧ୍ୟମକୁ ପରାମର୍ଶ ଦେଇଛି। ବିଭିନ୍ନ ଗଣମାଧ୍ୟମରେ ବହୁସଂଖ୍ୟାରେ ଅନ୍‌ଲାଇନ ବେଟିଂ ଓ୍ବେବ୍‌ସାଇଟ/ପ୍ଲାଟଫର୍ମଗୁଡ଼ିକର ବିଜ୍ଞାପନ ଆସୁଥିବାରୁ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ମସେଗୁଡ଼ିକୁ ନ ଛାପିବା ଓ ପ୍ରସାରଣ ନ କରିବାକୁ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମକୁ କୁହାଯାଇଛି। ସେହିପରି ଅନ୍‌ଲାଇନ ଓ ସୋସିଆଲ ମିଡିଆଗୁଡ଼ିକ ଭାରତରେ ଏଭଳି ବିଜ୍ଞାପନ ନ ଦେଖାଇବାକୁ ପରାମର୍ଶ ଦିଆଯାଇଛି।
ଅନ୍‌ଲାଇନ ବେଟିଂ ବିଜ୍ଞାପନଗୁଡ଼ିକ ବିଭ୍ରାନ୍ତିକର। ଏଭଳି ବିଜ୍ଞାପନ ପ୍ରକାଶନ ଓ ପ୍ରସାରଣରେ ଖାଉଟି ସୁରକ୍ଷା ଆଇନ, ୨୦୧୯, କେବୁଲ ଟେଲିଭିଜନ ନେଟ୍‌ଓ୍ବର୍କସ ନିୟନ୍ତ୍ରଣ

ଆଇନ, ୧୯୯୫ର ବିଜ୍ଞାପନ କୋଡ୍‌ ଏବଂ ପ୍ରେସ୍‌ କାଉନସିଲ ଆଇନ, ୧୯୭୮ରେ ଭାରତର ପ୍ରେସ୍‌ କାଉନସିଲ୍‌ ଧାର୍ଯ୍ୟ କରିଥିବା ବିଜ୍ଞାପନ ନିୟମ ପାଳନ ହେଉନାହିଁ। ୨୦୨୦ ଡିସେମ୍ବର ୪ରେ ଘରୋଇ ସାଟେଲାଇଟ ଟିଭି ଚ୍ୟାନେଲଗୁଡ଼ିକୁ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରି ଜାରି କରାଯାଇ ଅନ୍‌ଲାଇନ ଗେମ୍‌ ବିଜ୍ଞାପନ ପ୍ରସାରଣ ବେଳେ ଭାରତର ବିଜ୍ଞାପନ ମାନ ପରିଷଦର (ଏଏସ୍‌ସିଆଇ) ଗାଇଡ୍‌ଲାଇନ ପାଳନ କରିବାକୁ କୁହାଯାଇଥିଲା। ସେହିବର୍ଷ ଡିସେମ୍ବର ୧୫ରେ କାର୍ଯ୍ୟକାରୀ ହୋଇଥିବା ଉକ୍ତ ଗାଇଡ୍‌ଲାଇନ ଅନୁଯାୟୀ ଗେମିଂ ବିଜ୍ଞାପନରେ ୧୮ ବର୍ଷରୁ କମ୍‌ ପିଲାଙ୍କୁ ଟଙ୍କା ଜିତିବା ପାଇଁ ଅନ୍‌ଲାଇନ ଗେମ୍‌ ଖେଳୁଥିବା ଦେଖାଯାଇପାରିବ ନାହିଁ କିମ୍ବା ଏଭଳି ପିଲା ଅନ୍‌ଲାଇନ ଗେମ୍‌ ଖେଳିପାରିବେ ବୋଲି ପ୍ରସ୍ତାବ ଦିଆଯାଇପାରିବ ନାହିଁ। ସେହିପରି ଏହାକୁ ଆୟର ଏକ ସୁଯୋଗ ବା ବିକଳ୍ପ ନିଯୁକ୍ତି ଭାବେ ଉପସ୍ଥାପନ କରାଯାଇପାରିବ ନାହିଁ ବୋଲି ଗାଇଡ୍‌ଲାଇନରେ କୁହାଯାଇଥିଲା। ସେହିପରି ଅନ୍‌ଲାଇନ ଗେମିଂରେ ସମ୍ପୃକ୍ତ ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ଅଧିକ ସଫଳ ବୋଲି ବିଜ୍ଞାପନରେ ଦର୍ଶାଯାଇପାରିବ ନାହିଁ। ଗେମିଂ ବିଜ୍ଞାପନ ସହ ଏକ ଘୋଷଣାନାମା ଦେବା ଲାଗି ଛାପା ଗଣମାଧ୍ୟମକୁ କୁହାଯାଇଥିଲା। ଏହି ଗେମ୍‌ ଆର୍ଥିକ କ୍ଷତି ପହଞ୍ଚାଇବା ସହ ଅଭ୍ୟାସଗତ କରିଦିଏ। ଦାୟିତ୍ୱର ସହ ନିଜ ରିସ୍କରେ ଖେଳିବା ପାଇଁ ଘୋଷଣାନାମାରେ ଲେଖାଯିବାକୁ ଗାଇଡ୍‌ଲାଇନରେ ନିର୍ଦ୍ଦେଶ ଦିଆଯାଇଥିଲା।

Share