ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବାକୁ ଯାଇ ସଂଖ୍ୟାଗରିଷ୍ଠତା ପ୍ରମାଣ ନ କରିପାରିଲେ ସରକାରର ପତନ ଘଟେ। ସରକାରର ପତନ ଘଟିଲେ ଦେଶରେ ପୁନଃ ନିର୍ବାଚନର ଆବଶ୍ୟକତା ପଡ଼େ। ରାଜ୍ୟ ସରକାରଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଅନୁସୃତ ହୁଏ। ନିର୍ବାଚନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା ଓ ଭୋଟଦାନ ଏକ ସାମ୍ବିଧାନିକ ଅଧିକାର। ଦେଶର ପ୍ରତ୍ୟେକ ସାବାଳକ ଅର୍ଥାତ୍‌ ୧୮ ବର୍ଷ ପୂର୍ତ୍ତି ହେଲେ ଜଣେ ଭୋଟଦେବାର ଅଧିକାର ପାଏ। ନିର୍ବାଚନ ଗଣତନ୍ତ୍ରର ଏକ ପର୍ବ। କିନ୍ତୁ ବିଡ଼ମ୍ବନାର କଥା, କ୍ରମାଗତ ଭାବେ ଭୋଟଦାନ ପ୍ରତି ଜନତାଙ୍କର ଆଗ୍ରହ ହ୍ରାସ ପାଉଛି। ସହରାଞ୍ଚଳର ବହୁବ୍ୟକ୍ତି ଭୋଟଦାନରୁ ବିରତ ରହୁଛନ୍ତି। ସାଧାରଣ ଦରିଦ୍ର ନିରକ୍ଷର ବସ୍ତିବାସିନ୍ଦାଙ୍କ ମନରେ ଭୋଟଦାନ ପ୍ରତି ଯେଉଁ ଉତ୍ସାହ, ତାହା ଧନାଢ଼୍ୟ ଶିକ୍ଷିତ ଓ ବୟସାଧିକ୍ୟ ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖାଯାଉନାହିଁ।
ଦେଶର ଭୋଟଦାତାଙ୍କ ମଧ୍ୟରେ ପ୍ରାୟ ଅର୍ଦ୍ଧେକ ହେଉଛନ୍ତି ଯୁବଗୋଷ୍ଠୀ, ଯେଉଁମାନଙ୍କର ବୟସ ୨୫ ବର୍ଷ ମଧ୍ୟରେ। ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୧୮/୧୯ ବର୍ଷ ବୟସର ନୂତନ ଭୋଟଦାତାଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଭୋଟଦାନ ପାଇଁ ନାମ ପଞ୍ଜୀକୃତ କରିନାହାନ୍ତି। ସମୁଦାୟ ଏହି ବର୍ଗର ଭୋଟଦାତାଙ୍କ ସଂଖ୍ୟା ୪ କୋଟି ୯୦ ଲକ୍ଷ ମଧ୍ୟରୁ ମାତ୍ର ୧ କୋଟି ୮୦ ଲକ୍ଷ ଭୋଟଦାତା ନାମ ପଞ୍ଜୀକରଣ କରିଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ପୂର୍ବରୁ ଭୋଟଦାନ ପ୍ରତି ଯେଉଁ ଉତ୍ସାହ ପରିଲକ୍ଷିତ ହେଉଥିଲା, ତାହା ବେଗରେ ହ୍ରାସ ପାଇବାରେ ଲାଗିଛି। ତଥ୍ୟାଭିଜ୍ଞ ମହଲରୁ ଉପଲବ୍ଧ ସୂଚନା ଅନୁସାରେ ଓଡ଼ିଶାରେ ମହାବିଦ୍ୟାଳୟଗୁଡ଼ିକରେ କ୍ରମାଗତ କିଛି ବର୍ଷଧରି ନିର୍ବାଚନ ନ ହେବା ଯୁବଗୋଷ୍ଠୀକୁ ନିର୍ବାଚନ ପ୍ରତି ବୀତସ୍ପୃହ କରିଛି। ମହାବିଦ୍ୟାଳୟ ନିର୍ବାଚନ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ଆଦ୍ୟ ସଂକଳନ। ସେହି ନିର୍ବାଚନରୁ ଭବିଷ୍ୟତ ନେତା ସୃଷ୍ଟି ହେବାର ମାର୍ଗ ସୁଗମ ହୁଏ। କ୍ଷୁଦ୍ର ପରିସର ମଧ୍ୟରେ ନେତୃତ୍ୱ ନେବାର ଅଭ୍ୟାସ ତାଙ୍କୁ ନେତା ରୂପେ ଗଢ଼ି ତୋଳିବାର ସମସ୍ତ ସୁଯୋଗ ଦେଇଥାଏ। ବର୍ତ୍ତମାନ ସମୟରେ ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବହୁ ବିଧାୟକ ଓ ମନ୍ତ୍ରୀ ଛାତ୍ର ଜୀବନରୁ ରାଜନୀତିରେ ଅଭ୍ୟସ୍ତ। କିନ୍ତୁ କିଛିବର୍ଷ ହେଲା ମହାବିଦ୍ୟାଳୟଗୁଡ଼ିକରେ ନିର୍ବାଚନ ହେଉ ନ ଥିବାରୁ ଯୁବଗୋଷ୍ଠୀକୁ ହତାଶ କରିଛି।
ଚଳିତ ନିର୍ବାଚନରେ ଭୋଟ ଦେବା ପାଇଁ ଅନାଗ୍ରହ ପ୍ରକାଶ କରୁଥିବା ଯୁବ ଭୋଟରଙ୍କ ସଂଖ୍ୟା ରାଜ୍ୟ ବିଶେଷରେ ଭିନ୍ନ ଭିନ୍ନ ରହିଛି। ନିର୍ବାଚନ କମିଶନଙ୍କ ସଦ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ ବଡ଼ବଡ଼ ରାଜ୍ୟ ଯଥା ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗରେ ନୂତନ ଭୋଟଦାତାଙ୍କ ନାମ ପଞ୍ଜୀକରଣ ନୈରାଶ୍ୟଜନକ। ବିହାରରେ ଯେଉଁଠି ଅନ୍ୟ ରାଜ୍ୟ ତୁଳନାରେ ଯୁବବର୍ଗ ସଂଖ୍ୟା ଅଧିକ, ସେଠାରେ ଚଳିତ ନିର୍ବାଚନ ପାଇଁ ମାତ୍ର ୧୭ ପ୍ରତିଶତ ନୂତନ ମତଦାତା ନାମ ପଞ୍ଜୀକୃତ କରିଛନ୍ତି। ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରେ ମାତ୍ର ୨୩ ପ୍ରତିଶତ ନୂତନ ଭୋଟର ନାମ ପଞ୍ଜୀକୃତ କରିଛନ୍ତି। ଦିଲ୍ଲୀରେ ୨୧ ଓ ମହାରାଷ୍ଟ୍ରରେ ୨୭ ପ୍ରତିଶତ ନୂତନ ଯୁବବର୍ଗ ନାମ ପଞ୍ଜୀକୃତ କରିଛନ୍ତି। ଛତିଶଗଡ଼ ପରି ଏକ କ୍ଷୁଦ୍ର ରାଜ୍ୟରେ ଏହି ଗୋଷ୍ଠୀର ପଞ୍ଜୀକରଣ ସନ୍ତୋଷଜନକ। ଏଠାରେ ୫୪ ପ୍ରତିଶତ ନୂତନ ଯୁବଗୋଷ୍ଠୀ ମତଦାନ ପାଇଁ ନାମ ପଞ୍ଜୀକୃତ କରିଛନ୍ତି। କିନ୍ତୁ ତେଲଙ୍ଗାନା ଏ କ୍ଷେତ୍ରରେ ସମଗ୍ର ଭାରତରେ ଆଗୁଆ। ଏଠାରେ ରେକର୍ଡ ସଂଖ୍ୟକ ୬୬ ପ୍ରତିଶତ ଯୁବତୀ ଯୁବକ ନୂତନ ଭାବେ ଭୋଟ ଦେବାପାଇଁ ନାମ ପଞ୍ଜୀକରଣ କରିଛନ୍ତି। ବଡ଼ ବଡ଼ ରାଜ୍ୟଗୁଡ଼ିକରେ ନୂତନ ଯୁବ ଭୋଟରଙ୍କ ପଞ୍ଜୀକରଣ ସଂଖ୍ୟା ସାଧାରଣତଃ ୫୦ ପ୍ରତିଶତରୁ କମ୍‌। ନିର୍ବାଚନ କମିଶନଙ୍କ ସୂତ୍ରରୁ ଏହା ମଧ୍ୟ ଜ୍ଞାତ ଯେ, ୨୦୧୯ ସାଧାରଣ ନିର୍ବାଚନରେ ୧୮/୧୯ ବର୍ଷ ବୟସ ମଧ୍ୟରେ ଥିବା ଯୁବବର୍ଗଙ୍କ ମଧ୍ୟରୁ ମାତ୍ର ୨୯.୪୯ ପ୍ରତିଶତ ନାମ ପଞ୍ଜୀକରଣ କରିଥିଲେ ମଧ୍ୟ ସେହି ସଂଖ୍ୟକ ଯୁବତୀ ଯୁବକ ଭୋଟଦାନ କରି ନ ଥିଲେ।
ଇଏତ ନୂତନ ଭାବେ ଭୋଟଦାତାର ମାନ୍ୟତା ଲାଭ କରିଥିବା ଯୁବଗୋଷ୍ଠୀଙ୍କ କଥା। ଏମାନଙ୍କ ବ୍ୟତୀତ ସାଧାରଣ ମଧ୍ୟବୟସ୍କ ଓ ବୟସାଧିକ୍ୟ ଭୋଟରଙ୍କ କ୍ଷେତ୍ରରେ ଭୋଟଦାନ ପ୍ରତି ଉତ୍ସାହ ହ୍ରାସ ପାଉଥିବାର ଲକ୍ଷ୍ୟ କରାଯାଉଛି। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ବୟସ୍କ ଭୋଟରଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ହ୍ରାସ ପାଇବାରେ ଲାଗିଛି। ଆଉ ଏକ ଘଟଣା ହେଲା ଏପର୍ଯ୍ୟନ୍ତ ଭାରତବର୍ଷରେ ଯେତେ ନିର୍ବାଚନ ହୋଇଛି, ସେଥିରେ ମତଦାନ ହାର ୭୦ ପ୍ରତିଶତରୁ ଅଧିକ ହୋଇନାହିଁ। ଅଧିକାଂଶ କ୍ଷେତ୍ରରେ ମତଦାନ ହାର ୫୦ରୁ ୬୦ ପ୍ରତିଶତ ମଧ୍ୟରେ ସୀମିତ ରହିଛି। ସ୍ବଚ୍ଛଳ, ଶିକ୍ଷିତ ଓ ବରିଷ୍ଠ ନାଗରିକ ବହୁଳଭାବେ ଭୋଟଦାନ ପ୍ରତି ନିରୁତ୍ସାହିତ ହେଉଛନ୍ତି। ଜଣେ ଭୋଟ ନ ଦେଲେ ତା’ପାଇଁ କୌଣସି ସାମ୍ବିଧାନିକ ପ୍ରତିବନ୍ଧକ ନାହିଁ। କୌଣସି ବାଧ୍ୟତା ନ ଥିବାରୁ ଭୋଟଦାନ ପ୍ରତି ଅନାଗ୍ରହ ବୃଦ୍ଧି ପାଉଛି। ବେଳେବେଳେ ଶୁଣିବାକୁ ମିଳେ କୌଣସି ଅଞ୍ଚଳର ଭୋଟଦାତାମାନେ ଏକ ନିର୍ଦ୍ଦିଷ୍ଟ ସମସ୍ୟାକୁ ନେଇ ଭୋଟବର୍ଜନ କରନ୍ତି। ଭୋଟବର୍ଜନ କୌଣସି ସମସ୍ୟାର ସମାଧାନ ନୁହେଁ। ଆମେ ଭୋଟ ନ ଦେଲେ କ’ଣ ହେଲା ଯେଉଁ ପ୍ରାର୍ଥୀ ଅଧିକ ଭୋଟ ପାଇଲା ସେ ନିର୍ବାଚିତ ହେଲା।
ଚଳିତ ୨୦୨୪ ସାଧାରଣ ନିର୍ବାଚନରେ କିପରି ଅଧିକରୁ ଅଧିକ ମତଦାତା ତାଙ୍କ ଅଧିକାର ସାବ୍ୟସ୍ତ କରିବେ, ସେଥିପାଇଁ ସରକାରୀ କଳ ବ୍ୟତିରେକେ କିଛି ବେସରକାରୀ ସଂସ୍ଥା ଅଣ୍ଟା ଭିଡ଼ିଛନ୍ତି। କେବଳ ସେତିକି ନୁହେଁ, ଭୋଟଦାନରେ ଅଂଶଗ୍ରହଣ ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ବିଭିନ୍ନ କମ୍ପାନୀ ପକ୍ଷରୁ କିଛି ରିହାତି ଓ ପୁରସ୍କାର ଘୋହଣା କରାଯାଇଛି। ଏଥର ବିଭିନ୍ନ ଉଦ୍ୟୋଗ, ସୁପରମାର୍କେଟ, ଏଫ୍‌.ଏମ୍‌. ଚାନେଲ, ରେସ୍ତୋରାଁ ଏପରିକି ଏୟାରଲାଇନ୍ସ କମ୍ପାନୀ ଓ ପେଟ୍ରୋଲ ପମ୍ପ୍‌ ପ୍ରଭୃତି ଏ ଦାୟିତ୍ୱ ହାତକୁ ନେଇଥିବାର ଜାଣିବାକୁ ମିଳେ। ଅବଶ୍ୟ କମ୍ପାନୀମାନେ କୌଣସି ନିର୍ଦ୍ଦିଷ୍ଟ ଦଳ ବା ବ୍ୟକ୍ତି ପାଇଁ ପ୍ରଚାର କରୁନାହାନ୍ତି; ବରଂ ସେମାନେ ମତଦାନକୁ ପ୍ରୋତ୍ସାହିତ କରୁଛନ୍ତି ଓ ଏହାଦ୍ୱାରା ରାଷ୍ଟ୍ରର ମର୍ଯ୍ୟାଦା ବୃଦ୍ଧି ପାଇଁ ପ୍ରୟାସ କରୁଛନ୍ତି ବୋଲି ଯୁକ୍ତି ଉପସ୍ଥାପନ କରନ୍ତି।
ଯୁବବର୍ଗ, ବୟସାଧିକ୍ୟ ବ୍ୟକ୍ତି ନିର୍ବିଶେଷରେ ଭୋଟଦାନ ପ୍ରତି ଯେଉଁ ନିରୁତ୍ସାହିତ ଭାବ ପରିଦୃଷ୍ଟ ହେଉଛି ତାହା ସ୍ପୃହଣୀୟ ନୁହେଁ। ଭୋଟଦାନ ଆମର ସର୍ବଶ୍ରେଷ୍ଠ ଗଣତାନ୍ତ୍ରିକ ଅଧିକାର ହୋଇଥିବାରୁ ଏହାକୁ ସାବ୍ୟସ୍ତ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।

  • ବୈକୁଣ୍ଠନାଥ ମିଶ୍ର
    ସିଦ୍ଧଳ, ଜଗତସିଂହପୁର
    ମୋ: ୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri