ପରୀକ୍ଷା ଦେବାକୁ ଯାଉଥିଲେ: ଅଟୋ ଓଲଟି ୩ ଛାତ୍ରୀ ଗୁରୁତର, ୫ ଆହତ

ବଲାଙ୍ଗୀର ଅଫିସ, ୨୯।୧୧: ବଲାଙ୍ଗୀର ଜିଲା ପୁଇଁନ୍ତଳା ବ୍ଲକ ସଲତରପାଲି ଛକରେ ମଙ୍ଗଳବାର ଏକ ଅଟୋ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୩ ପରୀକ୍ଷାର୍ଥୀ ଗୁରୁତର ଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଜାମଗାଁରୁ ୧୪ଜଣ ଛାତ୍ରୀ ମାଟ୍ରିକ ସମେଟିଭ୍‌ ପରୀକ୍ଷା ଦେବା ପାଇଁ ଏକ ଅଟୋରେ ସାଉନ୍ତପୁର ସୁରଜମଲ ହାଇସ୍କୁଲକୁ ଯାଉଥିଲେ। ହେଲେ ସେହି ସମୟରେ ସଲତରପାଲି ଛକଠାରେ ହଠାତ ଅଟୋ ସାମ୍ନାକୁ ଏକ ମାଙ୍କଡ ଚାଲିଆସିଥିଲା। ମାଙ୍କଡକୁ ବଞ୍ଚାଇବାକୁ ଯାଇ ଅଟୋ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା। ଫଳରେ ୩ ଜଣ ଛାତ୍ରୀ ଗୁରୁତର ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ଅଟୋରେ କ୍ଷମତାଠାରୁ ଅଧିକ ଛାତ୍ରୀଙ୍କୁ ବସାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୁଇଁନ୍ତଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଯୋଗୁ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ଛାତ୍ରୀ। ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।