ସିଡ୍ନୀ,୨୮।୮(ରଏଟର୍ସ): ଭୂକମ୍ପ କିମ୍ବା ବଡ଼ଧରଣର ବିପର୍ଯ୍ୟୟ ସମୟରେ କୋଠାବାଡ଼ି ଓ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆହତ ଲୋକଙ୍କ ପାଖରେ ଜରୁରୀ ଔଷଧ ପହଞ୍ଚାଇବା ପାଇଁ ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏକ ଯୁଗାନ୍ତକାରୀ କୌଶଳ ଉଦ୍ଭାବନ କରିଛନ୍ତି। ଅଷ୍ଟ୍ରେଲିଆର ‘ୟୁନିଭରସିଟି ଅଫ୍ କ୍ୱିନ୍ସଲ୍ୟାଣ୍ଡ’ ଏବଂ ‘ୟୁନିଭର୍ସିଟି ଅଫ ନ୍ୟୁ ସାଉଥ୍ ୱେଲ୍ସ’ର ଗବେଷକମାନେ ବଡ଼ କକ୍ରୋଚ୍ମାନଙ୍କୁ ସାଇବର୍ଗ ରୋବୋ ବା ‘ପାରାବର୍ଗ’ରେ ପରିଣତ କରିବାରେ ସଫଳ ହୋଇଛନ୍ତି। ଏହି ‘ପାରାବର୍ଗ’ଗୁଡ଼ିକ ଅତ୍ୟନ୍ତ ସଂକୀର୍ଣ୍ଣ ଓ ବିପଜ୍ଜନକ ସ୍ଥାନକୁ ସହଜରେ ଯାଇ ଜରୁରୀ ସୂଚନା ଦେବା ସହ ପ୍ରାଥମିକ ଚିକିତ୍ସା ଯୋଗାଇଦେବେ, ଯାହା ଫଳରେ ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ ଆହତଙ୍କ ଜୀବନ ବଞ୍ଚାଯାଇପାରିବ।
ବୈଜ୍ଞାନିକମାନେ ପ୍ରାୟ ୮.୫ ସେଣ୍ଟିମିଟର (୩.୩ ଇଞ୍ଚ) ଲମ୍ବର ଉତ୍ତର-କ୍ୱିନ୍ସଲ୍ୟାଣ୍ଡର ଏହି ବୃହତ କକ୍ରୋଚଙ୍କ ପିଠିରେ ଏକ ଛୋଟ ‘ବ୍ୟାକ୍ପ୍ୟାକ’ ଫିଟ୍ କରିଛନ୍ତି, ଯେଉଁଥିରେ ସିରିଞ୍ଜ ସିଲିଣ୍ଡର, କ୍ୟାମେରା ଏବଂ ହ୍ୟୁମାନ-ସୁପରଭାଇଜ୍ଡ ଅଟୋ-ଇଞ୍ଜେକ୍ସନ ମେକାନିଜିମ (ଏଆଇଏମ୍) ରହିଛି। ସେମାନଙ୍କ ଶରୀରରେ ଇଲେକ୍ଟ୍ରୋଡ୍ ସଂଯୋଗ କରାଯାଇ ସ୍ନାୟୁ ମାଧ୍ୟମରେ ସେମାନଙ୍କ ଗତିପଥକୁ ରିମୋଟ ଦ୍ୱାରା ନିୟନ୍ତ୍ରଣ କରାଯାଉଛି। କୌଣସି ଯାନ୍ତ୍ରିକ ରୋବୋ ତୁଳନାରେ ଏହି ବାସ୍ତବ କକ୍ରୋଚ୍ଗୁଡ଼ିକ ଅଧିକ ଦ୍ରୁତ ଏବଂ କମ୍ ଶକ୍ତି ବ୍ୟବହାର କରି କାର୍ଯ୍ୟ କରିପାରନ୍ତି। ଲାବରେଟୋରି ପରୀକ୍ଷଣ ସମୟରେ ଗୋଟିଏ ନିରୀକ୍ଷକ କକ୍ରୋଚ୍ କ୍ୟାମେରା ସାହାଯ୍ୟରେ ବିପନ୍ନଙ୍କୁ ଠାବ କରିବା ପରେ ଅନ୍ୟ ଏକ କକ୍ରୋଚ୍ ରିମୋଟ ସିଗ୍ନାଲ ପାଇ ଔଷଧ ଇଞ୍ଜେକ୍ସନ ପ୍ରଦାନ କରିବାରେ ସଫଳ ହୋଇଛି।
ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ପାଇଁ ଏହି ସାଇବର୍ଗ କକ୍ରୋଚ୍ଗୁଡ଼ିକ ୧୦୦ ପ୍ରତିଶତ ସଫଳତା ହାସଲ କରିଥିବା ବେଳେ ସମଗ୍ର ଔଷଧ ପ୍ରଦାନ ପରୀକ୍ଷଣରେ ୭୨ ପ୍ରତିଶତ ସଫଳତା ମିଳିଛି। ବିଶେଷକରି ଲକ୍ଷ୍ୟସ୍ଥଳର ୧୫ ସେଣ୍ଟିମିଟର ଭିତରୁ ଇଞ୍ଜେକ୍ସନ ପ୍ରଦାନ କରିବାରେ ଏହାର ସଫଳତା ହାର ୯୫ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ସାପ କାମୁଡ଼ା କିମ୍ବା ପ୍ରବଳ ଆଲର୍ଜି ଭଳି ଜରୁରିକାଳୀନ ପରିସ୍ଥିତିରେ ରୋଗୀଙ୍କୁ ସ୍ଥିର ରଖିବା ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ। ଗବେଷଣା ପୁସ୍ତକ ‘ଆଡଭାନ୍ସଡ୍ ସାଇନ୍ସ’ରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ଆଗାମୀ ଦିନରେ ଏହିପରି ଅନେକ ସାଇବର୍ଗ କକ୍ରୋଚଙ୍କ ଏକ ସ୍ବାର୍ମ ତିଆରି କରାଯାଇ ବଡ଼ ବଡ଼ ବିପର୍ଯ୍ୟୟରେ ପ୍ରାଣରକ୍ଷା ପାଇଁ ବ୍ୟବହାର କରାଯିବ।