କିଟ୍‌-କିସ୍‌ରେ ଶିକ୍ଷା, ଗବେଷଣା ପାଇଁ ସହଯୋଗ କରିବ ଅଷ୍ଟ୍ରେଲିଆ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): ଓଡ଼ିଶା ଗସ୍ତରେ ଆସିଥିବା ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବାରୀ ଓ’ ଫାରେଲ୍‌ ଏଓଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଶୁକ୍ରବାର କିଟ୍‌ ଓ କିସ୍‌ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ କିଟ୍‌ର ସମସ୍ତ କ୍ୟାମ୍ପସ ସହ କିସ୍‌ର ସମସ୍ତ ୟୁନିଟ୍‌ ବୁଲି ଦେଖିଥିଲେ। ପରେ ଅଷ୍ଟ୍ରେଲିଆ ଓ କିଟ୍‌-କିସ୍‌ର ପ୍ରତିନିଧିମଣ୍ଡଳୀ ମଧ୍ୟରେ ଆଲୋଚନା ହୋଇଥିଲା। ଉଚ୍ଚଶିକ୍ଷା, ଗବେଷଣା, ନିଯୁକ୍ତି, ଦକ୍ଷତା ବିକାଶ, ଅଧ୍ୟାପକ ଓ ଛାତ୍ର ବିନିମୟ କ୍ଷେତ୍ରରେ ଅଷ୍ଟ୍ରେଲିଆରେ ଥିବା ବିଭିନ୍ନ ଉଚ୍ଚତର ଓ ବୈଷୟିକ ଶିକ୍ଷାନୁଷ୍ଠାନ ସହ କିଟ୍‌ ଓ କିସ୍‌ କିପରି ମିଳିତ ଭାବେ କାର୍ଯ୍ୟ କରିବେ ସେ ଦିଗରେ ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଉଚ୍ଚାୟୁକ୍ତ କହିଥିଲେ। ବିଶେଷକରି କିସ୍‌ରେ ଜନଜାତି ଛାତ୍ରୀଛାତ୍ରଙ୍କ ଦକ୍ଷତା ବିକାଶ ଏବଂ ଜନଜାତି ଗବେଷଣା କ୍ଷେତ୍ରରେ ଅଷ୍ଟ୍ରେଲିଆ ପକ୍ଷରୁ ମଧ୍ୟ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆ ଶିକ୍ଷା ଓ ଗବେଷଣା ବିଭାଗ ମନ୍ତ୍ରୀ ତଥା କାଉନ୍‌ସିଲର ମାଥ୍ୟୁ ଜନ୍‌ଷ୍ଟନ, କୋଲକାତାରେ ଅବସ୍ଥାପିତ ଅଷ୍ଟ୍ରେଲିଆର ଡେପୁଟି କାଉନ୍‌ସେଲ ଜେନେରାଲ୍‌ ଡାନିଏଲ୍‌ ସିମ୍‌, ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ତଥା ଶିକ୍ଷା ବିଭାଗର ବରିଷ୍ଠ ପରାମର୍ଶଦାତା ସାଜିଆ ନାକ୍‌ଭି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍‌ ମହାନିର୍ଦ୍ଦେଶକ ଡ. କାହ୍ନୁଚରଣ ମାହାଲି, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।