Categories: ଖେଳ

ତାଲିବାନ୍‌ ଆଗରେ ସର୍ତ୍ତ ରଖିଲା କ୍ରିକେଟ ଅଷ୍ଟ୍ରେଲିଆ

କାବୁଲ,୯।୯: ଯଦି ଆଫଗାନିସ୍ତାନରେ ମହିଳାଙ୍କୁ କ୍ରିକେଟ ଖେଳିବାକୁ ଅନୁମତି ନ ମିଳେ, ତେବେ ଆମେ ଐତିହାସିକ ଟେଷ୍ଟ ମ୍ୟାଚ୍‌କୁ ବାତିଲ କରିଦେବୁ। ଏଭଳି ସ୍ବରରେ ତାଲିବାନ୍‌ର ଅନ୍ତରୀଣ ସରକାରଙ୍କୁ ଚେତାବନୀ ଦେଇଛି କ୍ରିକେଟ ଅଷ୍ଟ୍ରେଲିଆ। ତାଲିବାନ୍‌ର କଲଚରାଲ କମିଶନର ଉପ ମୁଖ୍ୟ ଅହମଦୁଲା ଓ୍ବାସିକଙ୍କ ମହିଳା କ୍ରିକେଟ ଉପରେ ବୟାନ କାରଣରୁ ଆସନ୍ତା ନଭେମ୍ବରରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଟେଷ୍ଟ ମ୍ୟାଚ୍‌ ଉପରେ କଳା ବାଦଲ ଛାୟୀ ହୋଇଯାଇଛି।

ମୋ ମତରେ ମହିଳାଙ୍କୁ କ୍ରିକେଟ ଖେଳିବାକୁ ଅନୁମତି ମିଳିବ ନାହିଁ। ମହିଳାଙ୍କୁ କ୍ରିକେଟ ଖେଳିବାର କିଛି ଆବଶ୍ୟକତା ନାହିଁ। କ୍ରିକେଟ ଭଳି ଖେଳରେ ମହିଳାଙ୍କ ଲାଗି ସର୍ବଦା ମୁହଁ ଓ ବାଳକୁ ଲୁଚାଇ ରଖିବା ସମ୍ଭବ ନୁହେଁ। ଇସଲାମ ଧର୍ମରେ ମହିଳାଙ୍କୁ ଏଭଳି ଦେଖାଯିବାକୁ ଅନୁମତି ଦିଆଯାଇ ନାହିଁ ବୋଲି ଓ୍ବାସିକ କହିଥିଲେ।

ଆଫଗାନିସ୍ତାନକୁ କବ୍‌ଜା କରି ନେବା ପରେ ପୁରୁଷ ଖେଳାଳିଙ୍କ କାର୍ଯ୍ୟସୂଚୀରେ କୌଣସି ବାଧା ଆସିବ ନାହିଁ ବୋଲି ତାଲିବାନ୍‌ ଘୋଷଣା କରିଥିଲା। କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଗୁରୁବାର ପକ୍ଷରୁ ଗୁରୁବାର କୁହାଯାଇଛି, ମହିଳା କ୍ରିକେଟକୁ ସମାନ ଗୁରୁତ୍ୱ ଦିଆଯିବା ଉଚିତ୍‌। କ୍ରିକେଟ ଲାଗି ଆମର ଏକମାତ୍ର ଉଦ୍ଦେଶ୍ୟ ହେଲା, ଏହା ସମସ୍ତ ପାଇଁ ଏକ ଖେଳ। ଆମେ ପ୍ରତ୍ୟେକ ସ୍ତରରେ ମହିଳା କ୍ରିକେଟକୁ ସମର୍ଥନ କରୁ। ଯଦି ଆଫଗାନିସ୍ତାନରେ ମହିଳା କ୍ରିକେଟକୁ ଅନୁମତି ନ ମିଳେ, ତେବେ କ୍ରିକେଟ ଅଷ୍ଟ୍ରେଲିଆ ପାଖରେ ପ୍ରସ୍ତାବିତ ହୋବାର୍ଟ ଟେଷ୍ଟ ମ୍ୟାଚ୍‌କୁ ବାତିଲ କରିବା ଛଡ଼ା ଆଉ ବାଟ ନାହିଁ।

Share