Categories: ଖେଳ

୨ ରନରେ ହାରିଲା ଅଷ୍ଟ୍ରେଲିଆ

ସାଉଥାମ୍ପଟନ,୫।୯(ଏପି): ପ୍ରଥମ ଟି୨୦ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆକୁ ଶେଷ ବଲରେ ମାତ୍ର ୨ ରନରେ ପରାସ୍ତ କରିଛି। ସ୍ଥାନୀୟ ରୋଜ ବାଓଲ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ଏହି ରୋମାଞ୍ଚକ ମୁକାବିଲାରେ ଟସ୍‌ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୬ ଉଇକେଟ ହରାଇ ୧୬୦ ରନରେ ସୀମିତ ରହି ପରାସ୍ତ ହୋଇଛି। ଏଥିସହ ୩ ମ୍ୟାଚବିଶିଷ୍ଟ ଏହି ସିରିଜରେ ଇଂଲଣ୍ଡ ୧-୦ରେ ଅଗ୍ରଣୀ ହାସଲ କରିଛି। ୪୩ ବଲର ସମ୍ମୁଖୀନ ହୋଇ ୫ ଚୌକା ଓ ୩ ଛକା ସହ ୬୬ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ଇଂଲଣ୍ଡର ଡଓ୍ବେିଡ ମଲାନ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
୧୬୩ ରନ ଟାର୍ଗେଟ୍‌ର ପିଛା କରି ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାର ଫାଇଦା ଉଠାଇପାରି ନ ଥିଲା। ପ୍ରଥମ ଉଇକେଟରେ ଅଧିନାୟକ ଆରୋନ ଫିଞ୍ଚ୍‌ ଓ ଓପନର ଡେଭିଡ୍‌ ଓ୍ବାର୍ନର ୬୬ ବଲରୁ ୯୮ ରନ ସଂଗ୍ରହ କରିଥିଲେ। ଫିଞ୍ଚ୍‌ ୪୬ ରନ କରି ଆଉଟ ହେବା ପରେ ଷ୍ଟିଭେନ୍‌ ସ୍ମିଥ୍‌ ୧୮ ରନ କରି ପ୍ୟାଭିଲିୟନ ଫେରିଥିଲେ। ଓ୍ବାର୍ନର ୪୭ ବଲରୁ ୪ ଚୌକା ସହ ୫୮ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ମାର୍କସ ଷ୍ଟୋଇନିସ୍‌ ୨୩ ରନ କରି ଅପରାଜିତ ରହିଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଅଷ୍ଟ୍ରେଲିଆ ୧୪ ବଲରୁ ୯ ରନରେ ୪ ଉଇକେଟ ହରାଇବା ପରେ ବିଜୟ ପାଇଁ ଶେଷ ୩ ଓଭରରେ ୨୬ ରନ ଆବଶ୍ୟକ କରୁଥିଲା। ତେବେ ଶେଷରେ ଦଳ ବିଜୟଠାରୁ ୩ ରନ ଦୂରରେ ରହିଯାଇଥିଲା। ବୋଲିଂରେ ଇଂଲଣ୍ଡ ତରଫରୁ ଜୋଫ୍ରା ଆର୍ଚର ଓ ଆଦିଲ ରସିଦ ୨ଟି ଲେଖାଏ, ମାର୍କ ଉଡ୍‌ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ରବିବାର ଏଠାରେ ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଖେଳାଯିବ।

Share