ନୂଆଦିଲ୍ଲୀ,୨୧।୧୧: ଉସମାନ ଖୱାଜା ସାଣ୍ଡପେପର୍ ବିବାଦକୁ ନେଇ କରିଥିବା ଦାବି ପରେ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ଝଡ଼ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଖେଳାଳିମାନେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଥିବା ଚର୍ଚ୍ଚା ହେଉଛି। ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ଖୱାଜାଙ୍କ ଦାବିକୁ ନିରାଧାର ବୋଲି କହିବା ସହ ଯଦି ତାଙ୍କୁ ସେତେବେଳେ ଏ ସମ୍ପର୍କରେ ଜଣାଥିଲା, ତେବେ ସେ ଘଟଣାକୁ ରୋକି ପାରିଥାନ୍ତେ ବୋଲି କହିଛନ୍ତି। ଏବେ କମିନ୍ସଙ୍କ ସମର୍ଥନରେ ଆଗକୁ ଆସିଛନ୍ତି ଜୋଶ ହେଜଲଉଡ। କମିନ୍ସଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲେ ସେ ନିଜ ଅବସର ନେଇ ଚିନ୍ତା କରିପାରନ୍ତି ବୋଲି ହେଜଲଉଡ କହିଛନ୍ତି।
ସାକ୍ଷାତକାର ସମୟରେ ଜୋଶ ହେଜଲଉଡ କହିଛନ୍ତି ଯେ, ବଲ ଟାମ୍ପରିଂ ସମ୍ପର୍କରେ ତାଙ୍କୁ କୌଣସି ସୂଚନା ନଥିଲା। ସୂଚନାଯୋଗ୍ୟ, ଉସମାନ ଖୱାଜାଙ୍କ ପୁସ୍ତକ ‘ସବ୍ର’ରେ ୨୦୧୮ ମସିହାର ସାଣ୍ଡପେପର୍ ଘଟଣା ସମ୍ପର୍କରେ ଦାବି କରାଯାଇଛି ଯେ, ଏହି ଘଟଣା ବିଷୟରେ ପୂର୍ବରୁ ପୂରା ଟିମକୁ ଜଣାଥିଲା। ଏହି ଅଭିଯୋଗର ଜବାବରେ ପ୍ୟାଟ କମିନ୍ସ ପ୍ରାୟ ଏକ ଘଣ୍ଟା ଧରି ଖବରଦାତା ସମ୍ମିଳନୀ କରି ନିଜ ପକ୍ଷ ରଖିଥିଲେ। ଗତ ଦୁଇ ସପ୍ତାହ ଧରି ହେଜଲଉଡ ସିଡନୀରେ କମିନ୍ସଙ୍କ ସହ ଅଭ୍ୟାସ କରୁଛନ୍ତି। ସେ କହିଛନ୍ତି ଯେ, ଯଦି ପର୍ଥରେ କମିନ୍ସ ଅଧିନାୟକ ନରୁହନ୍ତି, ତେବେ ସେ ନିଜ ଭବିଷ୍ୟତ ବିକଳ୍ପ ଉପରେ ବିଚାର କରିବେ। ହେଜଲଉଡ କହିଛନ୍ତି, “ଗତ କିଛି ଦିନ ମଧ୍ୟରେ ବିଭିନ୍ନ ଲୋକଙ୍କ ପକ୍ଷରୁ ଅନେକ ଚାପ ପକାଯାଇଛି। ମୁଁ କମିନ୍ସଙ୍କୁ ସମର୍ଥନ କରୁଛି। ତାଙ୍କ ଖବରଦାତା ସମ୍ମିଳନୀରେ କହିଥିବା ପ୍ରତ୍ୟେକ କଥାକୁ ମଧ୍ୟ ସମର୍ଥନ କରୁଛି। ଗତ କିଛି ବର୍ଷ ଧରି, ବିଶେଷକରି ଅଧିନାୟକ ଭାବେ ସେ ଯାହା କରିଛନ୍ତି, ତାହାକୁ ମଧ୍ୟ ମୁଁ ସମର୍ଥନ କରୁଛି।”
ହେଜଲଉଡ ଆହୁରି କହିଛନ୍ତି, “ସାଣ୍ଡପେପର୍ ଘଟଣା ପରେ କମିନ୍ସ ଯେଉଁଭଳି ଭାବେ ଦଳକୁ ଏକ ଭଲ ସ୍ଥିତିରେ ପହଞ୍ଚାଇଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ। ସେ ଜଣେ ଚମତ୍କାର ଅଧିନାୟକ। ଦଳର ପ୍ରତ୍ୟେକ ସଦସ୍ୟ ଆପଣଙ୍କୁ ଏହି କଥା କହିବେ। ଯଦି ଆମେ ପ୍ରଥମ ଟେଷ୍ଟ ଖେଳିବାକୁ ପଡ଼ିଆକୁ ଓହ୍ଲାଇବା ଏବଂ କମିନ୍ସ ଅଧିନାୟକ ନଥିବେ, ତେବେ ସତ କହିବାକୁ ଗଲେ ଏହା ପରେ କ’ଣ ହେବ, ମୁଁ ଜାଣିନାହିଁ।”