ଶୁଭ ମୁହୂର୍ତ୍ତ ନା ନମ୍ବର ଗେମ୍‌? ସନ୍ଧ୍ୟା ୫.୪୫ରେ କାହିଁକି କରାଗଲା ରୋହିତଙ୍କ ଅଧିନାୟକତ୍ୱ ଘୋଷଣା…ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୧୧: ଆଇପିଏଲ୍ ୨୦ତମ ସିଜିନ୍ ଆରମ୍ଭ ହେବା ପୂର୍ବରୁ ପ୍ରଶଂସକଙ୍କୁ ଚକିତ କରି ମୁମ୍ବାଇ ଇଣ୍ଡିଆନ୍ସ (MI) ଦଳର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ମଙ୍ଗ ସମ୍ଭାଳିବାକୁ ଦାୟିତ୍ୱ ଦେଇଛି। ଶେଷ ଥର ପାଇଁ ୨୦୨୦ ମସିହାରେ ଚାମ୍ପିଅନ୍ ହୋଇଥିବା ମୁମ୍ବାଇ ଗତ ୬ ବର୍ଷ ଧରି ବିଭିନ୍ନ ରଣନୀତି ଆପଣାଇଥିଲେ ମଧ୍ୟ କୌଣସି ଟ୍ରଫି ହାସଲ କରିପାରି ନ ଥିଲା। ଅଧିନାୟକ ବଦଳାଇବା ନିଷ୍ପତ୍ତି ହେଉ କିମ୍ବା ଦଳରେ ନୂଆ ମ୍ୟାଚ୍ ୱିନରଙ୍କୁ ସାମିଲ କରିବା, ସବୁ କ୍ଷେତ୍ରରେ ଦଳ ବିଫଳ ହୋଇଥିଲା। ତେବେ ଏବେ ଦଳ ବିଜୟର ସୂତ୍ର ଖୋଜି ପାଇଛି ଏବଂ ଏହି ଲିଗ୍‌ର ସବୁଠାରୁ ସଫଳ ଅଧିନାୟକଙ୍କ ଉପରେ ପୁଣି ଭରସା ପ୍ରକଟ କରିଛି।

ରିପୋର୍ଟ ଅନୁଯାୟୀ, ରୋହିତଙ୍କୁ ଅଧିନାୟକ କରିବା ନେଇ ନିଷ୍ପତ୍ତି ସୋମବାର ଦିନ ହିଁ ନିଆଯାଇଥିଲା, କିନ୍ତୁ ଏହାର ଘୋଷଣା ନଭେମ୍ବର ୨୭ ତାରିଖ ସନ୍ଧ୍ୟା ୫.୪୫ (୧୭:୪୫) ସମୟରେ କରାଯାଇଛି। ଏହି ନିର୍ଦ୍ଦିଷ୍ଟ ସମୟ ପଛରେ ଟିମ୍ ମ୍ୟାନେଜମେଣ୍ଟର ବିଶେଷ ଯୋଜନା ରହିଥିବା ଚର୍ଚ୍ଚା ହେଉଛି। ‘୪୫’ ହେଉଛି ରୋହିତ ଶର୍ମାଙ୍କ ଜର୍ସି ନମ୍ବର ଏବଂ ‘୧୭’ (୨୪-ଘଣ୍ଟିଆ ଘଣ୍ଟାରେ ୧୭:୪୫) ଅର୍ଥାତ୍ ମୁମ୍ବାଇ ସହିତ ଏହା ରୋହିତଙ୍କ ୧୭ତମ ସିଜିନ୍ ହେବାକୁ ଯାଉଛି। ଏହାଛଡ଼ା ଅନ୍ୟ ଏକ ଦାବି ଅନୁଯାୟୀ, ରୋହିତଙ୍କ ଜର୍ସି ନମ୍ବର (୪୫) ଏବଂ ତାଙ୍କ ଅଧିନାୟକତ୍ୱରେ ଦଳ ଜିତିଥିବା ଟ୍ରଫି ସଂଖ୍ୟା (୫) କୁ ନେଇ ଏହି ସମୟ ଚୟନ କରାଯାଇଥିବା କୁହାଯାଉଛି (ପ୍ରାରମ୍ଭିକ ସିଜିନ୍‌ରେ ରୋହିତ ଡେକାନ୍ ଚାର୍ଜର୍ସ ପକ୍ଷରୁ ଖେଳୁଥିଲେ)।

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଥର ପାଇଁ ୨୦୧୩ ମସିହାରେ ଟ୍ରଫି ଜିତିଥିଲା। ଏହାପରେ ଦଳ ଆଉ ପଛକୁ ଫେରି ଚାହିଁ ନ ଥିଲା। ‘ହିଟମ୍ୟାନ୍’ଙ୍କ ନେତୃତ୍ୱରେ ମୁମ୍ବାଇ ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ ରେ ଟ୍ରଫି ହାସଲ କରିଥିଲା। ମୁମ୍ବାଇ ବ୍ୟତୀତ କେବଳ ଚେନ୍ନାଇ ସୁପର କିଙ୍ଗ୍ସ (CSK) ହିଁ ୫ ଥର ଆଇପିଏଲ୍ ଟ୍ରଫି ଜିତିଛି।

ଟି-୨୦ କ୍ରିକେଟ୍ କଥା କହିଲେ ମୁମ୍ବାଇ ଫ୍ରାଞ୍ଚାଇଜ ସବୁଠାରୁ ସଫଳ ରହିଛି ଏବଂ ମୋଟ ୧୩ଟି ଚାମ୍ପିଅନସିପ୍ ଟାଇଟଲ୍ ଜିତିଛି। ଏଥିରେ ୫ଟି ଆଇପିଏଲ୍ (IPL), ୨ଟି ଚାମ୍ପିଅନ୍ସ ଲିଗ୍ ଟି-୨୦ (CLT20), ୨ଟି ମହିଳା ପ୍ରିମିୟର ଲିଗ୍ (WPL), ୨ଟି ମେଜର ଲିଗ୍ କ୍ରିକେଟ୍ (MI ନ୍ୟୁୟର୍କ) ଟାଇଟଲ୍ ସାମିଲ ରହିଛି। ଏହାସହିତ ILT20 (MI ଏମିରେଟ୍ସ), SA20 (MI କେପ୍ ଟାଉନ୍) ଏବଂ ଦ ହଣ୍ଡ୍ରେଡ୍ (ଇଂଲଣ୍ଡ – MI ଲଣ୍ଡନ ପୁରୁଷ ଓ ମହିଳା ଦଳ ସହ) ଭଳି ପ୍ରତିଯୋଗିତାରେ ମଧ୍ୟ ଦଳ ଟାଇଟଲ୍ ଜିତିଛି।

ରୋହିତଙ୍କୁ ‘ପ୍ଲେୟାର୍ସ କ୍ୟାପ୍ଟେନ୍’ (ଖେଳାଳିମାନଙ୍କ ଅଧିନାୟକ) ବୋଲି କୁହାଯାଏ। ତାଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ଏକ ଭିନ୍ନ ଓ ଏକଜୁଟ୍ ରୂପରେ ଖେଳିବାକୁ ପ୍ରେରଣା ଦେବ। ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ଦଳ ଗ୍ରହଣ କରିଥିଲେ ମଧ୍ୟ ମୁମ୍ବାଇର ବିଶାଳ ପ୍ରଶଂସକ ବର୍ଗ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ଏହି କାରଣରୁ ଆରମ୍ଭରେ ଦଳ ନିଜ ଘରୋଇ ପଡ଼ିଆ ୱାଙ୍ଖଡେରେ ଖେଳିବା ବେଳେ ହାର୍ଦ୍ଦିକଙ୍କୁ ପ୍ରଶଂସକଙ୍କ ବିରୋଧ ଓ ହୁଟିଂର ସାମ୍ନା କରିବାକୁ ପଡ଼ିଥିଲା।

Dharitri – Odisha’s No.1 Odia Daily

Share