‘ଖାଉଟି ସାମଗ୍ରୀ ବଣ୍ଟନର ସୋସିଆଲ ଅଡିଟ୍‌ କର’

କଟକ ଅଫିସ, ୨୫ା୮: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ନେଇ ସ୍ବଚ୍ଛତା ନିମନ୍ତେ ଖାଉଟି ସାମଗ୍ରୀ ବଣ୍ଟନର ସୋସିଆଲ ଅଡିଟ କର। ଏହାର ଭିଡିଓଗ୍ରାଫି କରି ରାଜ୍ୟ ଖାଦ୍ୟ କମିଶନଙ୍କ ୱେବସାଇଟରେ ଅପଲୋଡ୍‌ କର। ଏଥିସହ ଜୁନ ୧ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଜିଲା ଅଭିଯୋଗ ସମାଧାନ ଅଧିକାରୀ (ଡିଜିଆର୍‌ଓ)ଙ୍କ କାର୍ଯ୍ୟକଳାପର ବିସ୍ତୃତ ବିବରଣୀ ପ୍ରସ୍ତୁତ କର। ଏ ସଂକ୍ରାନ୍ତ ସତ୍ୟପାଠ ପରବର୍ତ୍ତୀ ଶୁଣାଣିର ଏକ ସପ୍ତାହ ପୂର୍ବରୁ ହାଇକୋର୍ଟରେ ଦାଖଲ କରିବାକୁ ମଙ୍ଗଳବାର ହାଇକୋର୍ଟ ଖାଉଟି ସାମଗ୍ରୀ ସମ୍ପର୍କିତ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଏବଂ ବିଚାରପତି ବି.ପି.ରାଉତରାୟଙ୍କ ମିଳିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ନଭେମ୍ବର ୮ରେ ପରବର୍ତ୍ତୀ ଶୁଣାଣି ହେବ। ଏହି ମାମଲାରେ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଆମିକସ୍‌ କ୍ୟୁରୀ ଭାବେ ନିଯୁକ୍ତ ହୋଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ଖାଉଟି ସାମଗ୍ରୀ ବଣ୍ଟନ ନେଇ ଅଭିଯୋଗର ଶୁଣାଣି ଜିଲା ଅଭିଯୋଗ ସମାଧାନ ଅଧିକାରୀ (ଡିଜିଆରଓ) କରିବେ। ଏହି ପଦବୀରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆର୍‌ଡିଏ)ର ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ରହିବେ। ସେହିପରି ଖାଉଟି ସାମଗ୍ରୀ ବଣ୍ଟନ ନେଇ ଅଭିଯୋଗର ତଦନ୍ତ ଲାଗି ପ୍ରତ୍ୟେକ ଜିଲାରେ ଭିଜିଲାନ୍ସ କମିଟି ଗଠନ ପାଇଁ ହାଇକୋର୍ଟ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।