ବାଲି ମାଫିଆଙ୍କ ସହ ବାର୍ତ୍ତାଳାପର ଅଡିଓ ଭାଇରାଲ:ବଦଳିଲେ ଭଣ୍ଡାରିପୋଖରୀ ଥାନାଧିକାରୀ

ଭଦ୍ରକ ଅଫିସ, ୨୫ା୮- ବାଲି ମାଫିଆଙ୍କୁ ସୁହାଇଲା ଭଳି ଥାନାଧିକାରୀଙ୍କ କଥାବାର୍ତ୍ତାର ଅଡିଓ ରେକର୍ଡ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ ବିବାଦୀୟ ହୋଇପଡ଼ିଛନ୍ତି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନାଧିକାରୀ ସନାତନ ସାହୁ। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏସ୍‌ପି ରାଜେଶ ପଣ୍ଡିତ ପ୍ରାଥମିକ ତଦନ୍ତ କରି ଥାନାଧିକାରୀ ସାହୁଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରିଛନ୍ତି।
ଭଣ୍ଡାରିପୋଖରୀ ତହସିଲ ଅଧୀନ ବାଲିପୋଖରୀସ୍ଥିତ ବୈତରଣୀ ନଦୀପଠାରୁ ପ୍ରତ୍ୟେକ ଦିନ ବେଆଇନ ଭାବେ ବାଲିଖନନ ହେଉଛି। ଟନ୍‌ ଟନ୍‌ ବାଲି ତାଡ଼ି ଚୋରାରେ ବିକ୍ରି କରି ମାଫିଆ ମାଲାମାଲ ହେଉଛନ୍ତି। ଫଳରେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନୀ ହେବା ସହ ନଦୀ ପଠା ମଧ୍ୟ ଖାଇଗଲାଣି। ଏପରିସ୍ଥଳେ ବାଲି ମାଫିଆଙ୍କ ସହ ଥାନା ଅଧିକାରୀ ସୁମ୍ପର୍କ ସ୍ଥାପନ କରିଥିବା ଭାଇରାଲ ଅଡିଓରୁ ଜାଣିବାକୁ ମିଳିଛି। ଥାନାଧିକାରୀଙ୍କ ସହ କଥା ହେଉଥିବା ବ୍ୟକ୍ତିଙ୍କୁ ଡକାଇ ଏସ୍‌ପି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି ଓ ବିବାଦୀୟ ଥାନାଧିକାରୀ ସାହୁଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଥିବା ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।