ଅଳଙ୍କାର କିଣିବାକୁ ଆକର୍ଷଣୀୟ ସୁବିଧା

ଭୁବନେଶ୍ୱର,୨୩।୧୦: ଗତ ୨ ବର୍ଷ ପରେ ଚଳିତ ବର୍ଷ ଏକ ସୁସ୍ଥ ପରିବେଶରେ ଧନ୍‌ତେରସ ପାଳନ ପାଇଁ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏପରିକି ଗତ ୩ ବର୍ଷ ତୁଳନାରେ ଚଳିତ ବର୍ଷର ସୁନା, ରୁପା ବହୁତ ଶସ୍ତା ରହିଛି। ସେହିଭଳି ଚଳିତ ବର୍ଷ ସଂକ୍ରମଣର ଭୟ ନ ଥିବାରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟୀମାନେ ମଧ୍ୟ ଆକର୍ଷଣୀୟ ଅଫର ସାଙ୍ଗକୁ ଅନେକ ସୁବିଧା ଓ ବ୍ୟବସ୍ଥା କରିଛନ୍ତି। ସେହିପରି ଆକର୍ଷଣୀୟ ରଙ୍ଗବେରଙ୍ଗର ଆଲୋକରେ ମଧ୍ୟ ପ୍ରତିଷ୍ଠାନଗୁଡ଼ିକୁ ସଜାଇ ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀମାନେ ରହିଥିବା ବେଳେ ଗ୍ରାହକ ମଧ୍ୟ ବ୍ୟବସାୟ ଅନୁଷ୍ଠାନଗୁଡିକର ସୁବିଧା ଓ ଅଫରକୁ ନଜରରେ ରଖି କିଣାକିଣି ପାଇଁ ବାହାରୁଛନ୍ତି। ଚଳିତ ବର୍ଷ ସୁନାର ଦର ୪୫ରୁ ୪୮ ହଜାର ମଧ୍ୟରେ ଥିବାରୁ ସବୁ ବର୍ଗର ଲୋକ ସୁନା କିଣୁଥିବା ବେଳେ କିଲୋ ପ୍ରତି ୬୫ ହଜାର ଟଙ୍କା ମଧ୍ୟରେ ରୁପା ଏବଂ ୧୫ ହଜାରରୁ ହୀରା ମୂଲ୍ୟ ଆରମ୍ଭ ହେଉଛି। ଉଲ୍ଲେଖଯୋଗ୍ୟ, ଗ୍ରାହକଙ୍କ ମନ ପସନ୍ଦର ଅଳଙ୍କାର ସାଙ୍ଗକୁ ଆକର୍ଷଣୀୟ ଅଫର ଓ ଉପହାର ମଧ୍ୟ ବ୍ୟବସାୟୀଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ବିଶେଷକରି ସହରର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଜେ ଆଣ୍ଡ ଟି ଜୁଏଲର୍ସ, ବିଶନଦୟାଲ ଜୁଏଲର୍ସ, ରୀତା ଜୁଏଲର୍ସ, ହିନ୍ଦୁସ୍ଥାନ ଜୁଏଲର୍ସ, ସୁଭାଷ ଜୁଏଲର୍ସ ଏବଂ ରୀତା ଆଣ୍ଡ ସନ୍ସ ଭଳି ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ଚଳିତ ବର୍ଷର ପାର୍ବଣ ସାଙ୍ଗକୁ ଧନ୍‌ତେରସ ପାଇଁ ନୂଆ ନୂଆ ଗହଣାର ଡିଜାଇନ ସହ ଭଳିକି ଭଳି ସୁବିଧା ଓ ରିହାତି ମଧ୍ୟ ପ୍ରଦାନ କରାଯାଉଛି। ଏପରିକି ଗ୍ରାହକଙ୍କୁ ବୀମା ଭଳି ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛିି।
ଏହି ପରିପ୍ରେକ୍ଷୀରେ ରୀତା ଆଣ୍ଡ ସନ୍ସର ସ୍ବତ୍ୱାଧିକାରୀ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି, ଚଳିତ ବର୍ଷର ଧନ୍‌ତେରସ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ସୁନାଗହଣା ସାଙ୍ଗକୁ ରୁପା ଅଳଙ୍କାର ସୁଲଭ ମୂଲ୍ୟ ସାଙ୍ଗକୁ ସୁବିଧା ମଧ୍ୟ ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। ଏହି ଅଫର ୨୭ ଅକ୍ଟୋବର ପର୍ଯ୍ୟନ୍ତ ଉପଲବ୍ଧ ରହିବ। ସେହିଭଳି ହିନ୍ଦୁସ୍ଥାନ ଜୁଏଲର୍ସ ପକ୍ଷରୁ କୁହାଯାଇଛି ଯେ ଧନ୍‌ତେରସ ଉପଲକ୍ଷେ ଆକର୍ଷଣୀୟ ଅଫର ସାଙ୍ଗକୁ ଉପହାର ମଧ୍ୟ ଗ୍ରାହକଙ୍କୁ ଦିଆଯାଉଛି। ସେହିପରି ଜେ ଆଣ୍ଡ ଟି ଜୁଏଲର୍ସର ସୂଚନା ଅନୁସାରେ ଧନ୍‌ତେରସ ପାଇଁ ଆକର୍ଷଣୀୟ ଡିଜାଇନ ଓ ନୂତନ ଉତ୍ପାଦ ମଧ୍ୟ ଗ୍ରାହକଙ୍କ ଲାଗି ଅଣାଯାଇଛି। ଏପରିକି ଅଫର ଓ ଉପହାର ମଧ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଦାନ କରାଯାଉଛି। ଅପରପକ୍ଷରେ ସୁଭାଷ ଜୁଏଲର୍ସ ପକ୍ଷରୁ କୁହାଯାଇଛି , ଧନ୍‌ତେରସ ଓ ଦୀପାବଳି ପାଇଁ ଅନେକ ପ୍ରକାର ଗହଣା ଉପଲବ୍ଧ ସାଙ୍ଗକୁ ଅଫର ଓ ରିହାତି ମଧ୍ୟ ଦିଆଯାଉଛି।