ବାସ୍ତବ ପ୍ରସଙ୍ଗରୁ ନଜର ହଟାଇବାକୁ ପ୍ରୟାସ: ବିଜେଡି

ଭୁବନେଶ୍ବର, ୧୪ା୨(ବ୍ୟୁରୋ):ଓଡ଼ିଶା ଭାଜପାର ଏହି ଆନ୍ଦୋଳନ କେବଳ ଓଡ଼ିଶାର ବାସ୍ତବ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାକୁ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାଶ କହିଛନ୍ତି ା ଭାଜପା ଖବରଦାତା ସମ୍ମିଳନୀରେ ଜବାବ ଦେଇ ଗୌତମ କହିଛନ୍ତି, କେନ୍ଦ୍ର ଦ୍ୱାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା, ଓଡ଼ିଶାକୁ ୭ ଲକ୍ଷ ଘର ଯୋଗାଇ ନ ଦେବା, ଓଡ଼ିଶା ଚାଷୀଙ୍କ ଧାନ କ୍ରୟ ହ୍ରାସ ଏବଂ କେନ୍ଦ୍ର ଦ୍ୱାରା ବଳକା ଚାଉଳ ଉଠାଣ ନ ହେବା ବିଷୟ ଭାଜପା ନେତାମାନେ କେନ୍ଦ୍ର ନିକଟରେ ଉଠାଉ ନାହାନ୍ତି। ସେହିପରି କେନ୍ଦୁପତ୍ର ଉପରେ ୧୮% ଜିଏସ୍‌ଟି ଲଗାଇବା ଏବଂ କେନ୍ଦ୍ର ଦ୍ୱାରା ପାର୍ଲାମେଣ୍ଟରେ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ନ ହେବା ଭଳି ପ୍ରସଙ୍ଗକୁ ନେଇ ଓଡ଼ିଶା ଭାଜପାର ନେତାମାନେ କେନ୍ଦ୍ରରେ ସେମାନଙ୍କ ଦଳ ଦ୍ୱାରା ଚଳାଯାଉଥିବା ସରକାରଙ୍କ ନିକଟରେ ଉଠାଇବା ଆବଶ୍ୟକ ା
ବିଭିନ୍ନ ଅପ୍ରସଙ୍ଗ ଉଠାଇ ଓଡ଼ିଶା ଏବଂ ଏହାର ସାଢ଼େ ୪ କୋଟି ଓଡ଼ିଆଙ୍କୁ ବଦନାମ କରିବାକୁ ରାଜ୍ୟ ଭାଜପା ଚେଷ୍ଟା କରୁଥିବାର ଏହା ଆଉ ଏକ ଉଦାହରଣ ା ଭାରତର ଅନେକ ଭାଜପା ଶାସିତ ରାଜ୍ୟ ଅପେକ୍ଷା ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ବହୁତ ଭଲ ା ଯଦି ଆମେ ଏହିପରି ପ୍ରତ୍ୟେକ ରାଜ୍ୟର ସମ୍ପୂର୍ଣ୍ଣ ବିବରଣୀ ଦେବା ଆରମ୍ଭ କରିବୁ, ତେବେ ରାଜ୍ୟବାସୀଙ୍କ ଆଗରେ ଓଡ଼ିଶା ଭାଜପା ପାଇଁ ଲଜ୍ଜାଜନକ ହେବ। ତେଣୁ ଭାଜପାର ଜ୍ଞାନ ଉଦୟ ହେବ ଓ ସେମାନେ ଓଡ଼ିଶାର ବିକାଶ ତଥା ଅଭିବୃଦ୍ଧି ପାଇଁ କହିବେ ଏବଂ ସେମାନଙ୍କର ଚିରାଚରିତ ଅଭ୍ୟାସ ଭଳି ବଦନାମ କରିବେ ନାହିଁ ବୋଲି ଗୌତମ କହିଛନ୍ତି ା