ଡ୍ରାଇଭରଙ୍କ ଉପରକୁ ଗୁଳି ଚଳାଇ ଲୁଟ୍‌ ଉଦ୍ୟମ

ଟିକିରି,୧୫ା୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଦୁଡୁକାବାଲ ପଞ୍ଚାୟତ ଅନ୍ତର୍ଗତ କାଳିଆପଡ଼ା ଘାଟିରେ ରବିବାର ଭୋର୍‌ରୁ ଲୁଟ୍‌ ଉଦ୍ୟମ ହୋଇଛି। ଉତ୍କଳ ଆଲୁମିନା କମ୍ପାନୀରୁ ଆଲୁମିନା ପାଉଡର ବୋଝେଇ କରି ବିଶାଖାପାଟଣା ନେଇ ଯାଉଥିବା ବେଳେ କାଳିଆପଡ଼ା ଘାଟି ନିକଟରେ ପୂର୍ବରୁ ଏକ ଗାଡ଼ି ଖରାପ ହୋଇ ରହିଥିଲା। ସେହି ଗାଡ଼ିକୁ ଦେଖି କିଛି ଗାଡ଼ି ଅଟକି ରହିଥିଲା। ଗାଡ଼ି ସଜାଡ଼ିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଫଳରେ ସାରା ରାତି ସେହି ଘାଟି ନିକଟରେ ଅଟକି ରହିଥିଲା ଟ୍ରକ୍‌। ସେହି ସମୟରେ ୫ରୁ୬ ଜଣ ଡକାୟତ ଆସି ଅଟକି ଥିବା ଗାଡ଼ିର ଡୋର୍‌ ଭାଙ୍ଗି ଡ୍ରାଇଭରଙ୍କୁ ତଳକୁ ଟାଣିଆଣିଥିଲେ। ଡ୍ରାଇଭର ବିରୋଧ କରିବାରୁ ତାଙ୍କୁ ଡକାୟତମାନେ ରିଭଲବରରୁ ଗୁଳି ଚଳାଇଥିଲେ। ଫଳରେ ଡ୍ରାଇଭରଙ୍କ ଗୋଡ଼ରେ ଗୁଳି ବାଜିଥିଲା। ପରେ ଡ୍ରାଇଭର ଜଣକ ଡକାୟତମାନଙ୍କ ସହ ଲଢ଼େଇ କରି ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ। ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ରମେଶ ଘଡ଼େଇ। ତାଙ୍କ ଘର ନୟାଗଡ଼ ଜିଲାରେ।

ଏହା ପରେ ସେ ବିଶାଖାପାଟଣାସ୍ଥିତ ମାଲ୍‌ ପରିବହନ ସଂସ୍ଥାକୁ ଜଣାଇଥିଲେ। ତାଙ୍କୁ ଟିକିରିସ୍ଥିତ ଉଷାପଡ଼ା ଉତ୍କଳ ଆଲୁମିନା ମେଡିକାଲକୁ ନେଇ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଟିକିରି ପୋଲିସ ପହଞ୍ଚ ତଦନ୍ତ କରୁଛି। ଏ ବିଷୟରେ ମାଲ୍‌ ପରିବହନ କରୁଥିବା ସଂସ୍ଥାର ଏସ୍‌.କେ. ମିଶ୍ରଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ଟିକିରି ଅଞ୍ଚଳରେ ପ୍ରଥମ ଅପରାଧିକ ଗୁଳିଚାଳନା ହୋଇଥିବାରୁ ଲୋକଙ୍କ ମନରେ କୋକୁଆଭୟ ସୃଷ୍ଟି ହୋଇଛି। ଟିକିରି ନିକଟରେ ଉତ୍କଳ ଆଲୁମିନା କମ୍ପାନୀ ଥିବାରୁ ଦୈନିକ ଶହଶହ ଗାଡ଼ି ମାଲ ପରିବହନ କରୁଛନ୍ତି। କାଳିଆପଡ଼ା ଘାଟି ନିଛାଟିଆ ହୋଇଥିବାରୁ ଏଠାରେ ପ୍ରାୟ ସମୟରେ ଛୋଟବଡ଼ ଡକାୟତି ଓ ଅପରାଧିକ ଘୋଟଣା ଘଟୁଛି। ଏଠାରେ ନିୟମିତ ପୋଲିସ ପାଟ୍ରୋଲିଂ ପାଇଁ ଦାବି ହେଉଛି।