ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ଗିରଫ

ବଡବିଲ, ୪।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଲାଣୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଚଳାଇ ଅଭିଯୁକ୍ତ ପ୍ରତାପ ପୃଷ୍ଟି ଓରଫ୍‌ ଧଳିଆଙ୍କୁ ଗିରଫ କରିଛି। ଏନେଇ ଥାନାରେ ଦଫା ୩୬୬, ୩୪୧, ୩୫୪, ୩୫୪(ଏ), ୩୫୪(ବି), ୩୨୩, ୩୦୭ ଆଇପିସି ଏବଂ ୮ ପୋକ୍‌ସୋ ଆକ୍ଟ ଅନୁଯାୟୀ ଏକ ମାମଲା(ନଂ.୩୯/୨୦) ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ନାବାଳିକା ଜଣକ ବଲାଣୀ ବସ୍‌ଷ୍ଟାଣ୍ଡକୁ ଜଳଖିଆ ଆଣିବାକୁ ଯାଇଥିଲା ବେଳେ ସେଠାରେ ଥିବା ପ୍ରତାପ ତାଙ୍କୁ ୨୦ ଟଙ୍କା ଦେଇଥିଲେ। ପରେ ତାଙ୍କର ପିଛା କରି ସୁଯୋଗ ଦେଖି ବଳପୂର୍ବକ ନିକଟସ୍ଥ ବଜାର ବସ୍ତିର ଅନ୍ଧାରିଆ ସ୍ଥାନକୁ ଟେକି ନେଇ ବଳାତ୍କାର ଉଦ୍ୟମ କରିଥିଲେ। ନାବାଳିକା ଜଣକ ଚିତ୍କାର କରିବାରୁ ପ୍ରତାପ ତାଙ୍କୁ ମାଡ଼ ମାରିବା ସହ ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ନାବାଳିକା କୌଣସି ମତେ ଯୁବକଙ୍କ କବଳରୁ ଖସି ଆସି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ପ୍ରତାପଙ୍କୁ କାବୁ କରି ପୋଲିସର ଜିମା ଦେବା ସହ ଅଭିଯୋଗ କରିଥିଲେ। ରବିବାର ଡାକ୍ତରୀ ମାଇନା ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।