ଲାଞ୍ଜିଗଡ,୧୬ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ବିଧବା ମହିଳାଙ୍କୁ ବଳାତ୍କାର ଉଦ୍ୟମ ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୨୬/୨୫) ରୁଜୁକରି ଅଭିଯୁକ୍ତ ଲାଖବାହିଲି ପଞ୍ଚାୟତ ବୁଣ୍ଡେଲ ଗ୍ରାମର ନୀଳକଣ୍ଠ ହରିଜନ(୫୫)ଙ୍କୁ ୩ ଦିନ ଧରି ଅଟକ ରଖି ତଦନ୍ତ ଚଳାଇଛି। ସ୍ବାମୀଙ୍କ ମୃତ୍ୟୁ ପରେ ମୂଲମଜୁରି କରି ଚାରି ସନ୍ତାନ ସହ କଷ୍ଟେମଷ୍ଟେ ଚଳୁଥିବା ମହିଳା ଜଣଙ୍କ ଥାନାରେ କରିଥିବା ଅଭିଯୋଗ ଅନୁସାରେ, ଗତ ଶନିବାର ସେ ନିଜ ଘରେ ଛାତ ପକାଇବା ପାଇଁ ଗାଁ ନିକଟ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ସେ କାଠ ହାଣିବା ସମୟରେ ନୀଳକଣ୍ଠ ପଛପଟୁ ଆସି ତାଙ୍କ ହାତ ଧରିଥିଲେ। ମହିଳା ଜଣଙ୍କ ଛଡ଼ାଇବା ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ। ଶେଷରେ ମହିଳା ନୀଳକଣ୍ଠଙ୍କୁ ଜୋରରେ ଠେଲିଦେଇ ସେଠାରୁ ଖସି ଘରକୁ ଚାଲିଆସିଥିଲେ। ନୀଳକଣ୍ଠ ତାଙ୍କୁ ବଳାତ୍କାର ପାଇଁ ଏଭଳି କରୁଥିବା ନେଇ ଶନିବାର ମହିଳା ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାସହ ତାଙ୍କୁ ଉଚିତ ଦଣ୍ଡ ଦେବାପାଇଁ ସେ ପୋଲିସ ଆଗରେ ଗୁହାରି କରିଥିଲେ। ଏ ନେଇ ବିଜେପୁର ଥାନା ଅଧିକାରୀ ନିଳାମ୍ବର ଜାନୀଙ୍କୁ ପଚାରିବାରୁ ମହିଳାଙ୍କ ଅଭିଯୋଗ ଅନୁସାରେ ବିଜେପୁର ଥାନାରେ ଏକ ମାମଲା ରୁଜୁ କରି ନୀଳକଣ୍ଠଙ୍କୁ ଥାନାରେ ରଖି ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଛନ୍ତି।


