ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। କେସ୍ ନଂ ୧୨/୨୬ରେ ବିଭିନ୍ନ ଦଫା ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଜାନୁଆରୀ ୧୦ ତାରିଖ ରାତିରେ ଦିଗପହଣ୍ଡି ବ୍ଲକ କରପଡ଼ା ପଞ୍ଚାୟତ ଜଙ୍ଘମା ଗାଁ ନିକଟ ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆଆଡ୍ଡା। ବ୍ରହ୍ମପୁର ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ଟାସ୍କ ଫୋର୍ସ ଦିଗପହଣ୍ଡି ଥାନା ପୋଲିସ ଟିମ୍ ସହାୟତାରେ ଉକ୍ତ ଜୁଆଆଡ୍ଡାରେ ଚଢାଉ କରାଯାଇଥିଲା। ଘଟଣା ଦିନ ସନ୍ଧ୍ୟାରେ କିଛି ପୋଲିସ କର୍ମଚାରୀ ସାଦା ପୋଷାକରେ ନିଜ ନିଜକୁ ଜୁଆଡ଼ି ସଜାଇ ଜୁଆଆଡ୍ଡାକୁ ଜୁଆ ଖେଳିବାକୁ ଯାଇଥିଲେ। ପରେ ଯୋଜନାବଦ୍ଧ ଭାବେ ଜୁଆଆଡ୍ଡାର ଚାରିପଟେ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ଘେରି ଯାଇ ଦିଗପହଣ୍ଡି , ଶେରଗଡ଼ , ଗୋଳନ୍ଥରା , ବଡ଼ଗଡ଼ , ପୁରୀ , କେ . ନୂଆଗାଁ , ଗଞ୍ଜାମ , ଜରଡ଼ା, ଜଗନ୍ନାଥପ୍ରସାଦ ଏବଂ ଭଞ୍ଜନଗର ଅଞ୍ଚଳର ୨୬ ଜୁଆଡିଙ୍କୁ ଗିରଫ କରି ଘଟଣାର ପରଦିନ କୋର୍ଟ ଚାଲାଣ କରିଥିଲେ। ଉକ୍ତ ଜୁଆଆଡ୍ଡାରୁ ୯ ଲକ୍ଷ ୨୪ ହଜାର ଟଙ୍କା ସମେତ ୩୨ ମୋବାଇଲ , ୧୨ ବାଇକ , ୧୮ ତାସ ପ୍ୟାକେଟ୍ ଏବଂ ଗୋଟିଏ କାର୍ ଜବତ କରାଯାଇଥିଲା। ଜୁଆଡିମାନଙ୍କୁ ଗିରଫ ସମୟରେ ସେମାନେ ସଂଘବଦ୍ଧ ଭାବେ କିଛି ପୋଲିସ କର୍ମଚାରୀଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ କରିଥିଲେ। ଏନେଇ ଦିଗପହଣ୍ଡି ଥାନା ଏଏସ୍ଆଇ ମନୋଜ ସିଂ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।