ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ ୭ ଟାରେ ଜଣେ ଅଟୋ ଚାଳକଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଉଦ୍ୟମ କରାଯାଇଛି । ମରଣାନ୍ତକ ଆକ୍ରମଣରେ ଗୁରୁତର ଆହାତ ଜଣକ ହେଲେ କଙ୍କୋରଡ଼ା ଗ୍ରାମ ପାଇକ ସାହିର ଅଶୋକ ବିଷୋୟୀ(୨୫)।
ସୂଚନା ଅନୁସାରେ, ଅଶୋକ ମେଡ଼ିକାଲ ଛକ ନିକଟ ତାଙ୍କ ରୁମରେ ବସିଥିଲେ। ଏକ କାର୍ ରେ ଆସିଥିବା ୫ ରୁ ଉର୍ଦ୍ଧ୍ବ ଯୁବକ ବିଭିନ୍ନ ମାରଣାସ୍ତ୍ର ଦ୍ଵାରା ଅଶୋକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କ ବେକ ଓ ମୁଣ୍ଡ କୁ ଲକ୍ଷ୍ୟକରି ଦୁର୍ବୃତ୍ତମାନେ ଖଣ୍ଡାରେ ଚୋଟ ପରେ ଚୋଟ ପକାଉଥିବା ବେଳେ ଅଶୋକ ତାଙ୍କ ୨ ହାତରେ ଖଣ୍ଡାକୁ ଆଗୁଳିି ଚାଲିଥିଲେ ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଅଶୋକ ରକ୍ଷାକର ରକ୍ଷାକର ବୋଲି ଚିତ୍କାର କରିବାରୁ ସ୍ଥାନୀୟ କିଛି ଯୁବକ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଦୁର୍ବୃତ୍ତ ମାନେ ଆସିଥିବା କାରରେ ମୁହୂର୍ତ୍ତକ ମଧ୍ୟରେ ଚମ୍ପଟ ମାରିଥିଲେ। ଅଶୋକଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ଦୁଇଟି ଜାକ ହାତରେ ଗଭୀର ଆଘାତ ଲାଗିଛି।
ଖବରପାଇ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦୋକାନମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଫେରିଛନ୍ତି। କଙ୍କୋରଡ଼ା ସଂଲଗ୍ନ ବିଭିନ୍ନ ରାସ୍ତା ଗୁଡ଼ିକୁ ପୋଲିସ ପକ୍ଷରୁ ବ୍ଲକିଂ କରାଯାଇ ରାସ୍ତାରେ ଯା ଆସ କରୁଥିବା ଗାଡ଼ି ମଟର ଗୁଡ଼ିକୁ ତନଖି କରାଯାଉଥିବା ଜଣାପଡ଼ିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଶନିବାର ବିଳମ୍ବିତ ସନ୍ଧ୍ୟାରେ ଅଶୋକ ବ୍ରହ୍ମପୁରରେ କାମ ସାରି ବାଇକ ଯୋଗେ ଗାଁକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମ ନିକରେ ତାଙ୍କୁ ପିଛା କରି ଅଟକାଇଥିଲେ । ସୌଭାଗ୍ୟ କ୍ରମେ ବିପରୀତ ଦିଗରୁ ଏକ ଯାତ୍ରୀବାହୀ ବସ ଆସି ସେଠାରେ ଅଟକିବାରୁ ଅଶୋକ ସେଠାରୁ କୌଶଳକ୍ରମେ ଖସି ଯାଇଥିଲେ ବୋଲି ପରିବାର ଲୋକେ ପୋଲିସକୁ କହିଛନ୍ତି । ଏହି ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥିବା ଆଇଆଇସି କହିଛନ୍ତି।
ଦୀର୍ଘଦିନର ନୀରବତା ପରେ ପୁଣି ସାନଖେମୁଣ୍ଡି ରକ୍ତରଞ୍ଜିତ ହୋଇଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୋଲିସ ପ୍ରଶାସନ ଏବେଠାରୁ ଆଇନଶୃଙ୍ଖଳା ପ୍ରତି ଦୃଷ୍ଟି ନଦେଲେ ବଡ଼ ଧରଣର ରାଜନୈତିକ ହିଂସାକାଣ୍ଡ ଘଟିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପାଟପୁର ଥାନା ଇଲାକାର ପେଶାଦାର ଅପରାଧିମାନଙ୍କ ପ୍ରତି ପୋଲିସର କୋହଳ ମନୋଭାବ ଯୋଗୁଁ ହିଂସାକାଣ୍ଡ ବଢୁଛି। ପାଟପୁର, କଙ୍କୋରଡ଼ା, ପୋଡ଼ାମାରି, ଡେଙ୍ଗାଓସ୍ତା ଇଲାକାରେ ଦେଶୀ ଓ ନକଲି ବିଦେଶୀ ମଦ ବ୍ୟବସାୟ କୁଟୀର ଶିଳ୍ପରେ ପରିଣତ ହୋଇଛି। ପୋଲିସ ସବୁ ଜାଣି ଚୁପ୍ ରହୁଛି । ଗଜପତି ଜିଲା ମୋହନାରୁ ପାଟପୁର ଥାନା ଡେଙ୍ଗାଓସ୍ତା ଭାୟା ଦିଗପହଣ୍ଡି ଓ ଆସିକା ଭାୟା ପଳାସପୁର ଦେଇ ପୋଲିସର ଜାଣତରେ ଗଞ୍ଜେଇ ଚୋରା ଚାଲାଣ ହେଉଛି। ପେଶାଦାର ଅପରାଧିମାନେ ଏହି କାରବାରରେ ସମ୍ପୃକ୍ତ ରହୁଛନ୍ତି । କଙ୍କୋରଡ଼ା ଗ୍ରାମରେ ଘଟିଥିବା ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣା ମଧ୍ୟ ମଦ ଓ ଗଞ୍ଜେଇ ବ୍ୟବସାୟ କୁ ନେଇ ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।