ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ ପରେ କେ.ନୂଆଗାଁ ପୋଲିସ ଦୁଇ ନାବାଳକଙ୍କୁ ଧରି ସୋମବାର ବ୍ରହ୍ମପୁରସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି)ରେ ହାଜର କରିଛି। ଶୁଣାଣି ପରେ ଉଭୟଙ୍କୁ ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।

କେ.ନୂଆଗାଁ ଥାନା ମାମଲା ନଂ. ୧୭୬/୨୫, ବିଏନଏସ୍‌ର ବିଭିନ୍ନ ଦଫା ଅନୁଯାୟୀ ଏହି ମାମଲାର ତଦନ୍ତ ଚାଲିଥିଲା। ଘଟଣା ପରଠାରୁ ଉଭୟ ନାବାଳକ ପ୍ରାୟ ଏକ ବର୍ଷ ଧରି ଫେରାର ଥିଲେ। ସେମାନେ ଗାଁକୁ ଫେରିଥିବା ଖବର ପାଇ ନୂଆପଡ଼ା ଫାଣ୍ଡି ଏସଆଇ ତଥା ତଦନ୍ତକାରୀ ଅଧିକାରୀ ଅତିଥିଚରଣ ନାୟକ ସୋମବାର ଉଭୟଙ୍କୁ ଧରିଥିଲେ।

ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୦୨୫ ମେ ୨୧ ତାରିଖ ରାତି ପ୍ରାୟ ସାଢ଼େ ୯ଟା ସମୟରେ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବନ୍ଧ ସାହିର ଦୁଇଜଣ ମହିଳା ପରିସ୍ରା ପାଇଁ ପୋଖରୀ ହିଡ଼କୁ ଯାଇଥିଲେ। ସେଠାରେ ଦଳିତ ସାହିର ସମେଶ ଜେନା ସେମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିବା ଅଭିଯୋଗ ହୋଇଥିଲା।

ମହିଳାମାନେ ଏହାର ପ୍ରତିବାଦ କରିବାରୁ ସମେଶ ଜେନା ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହ ଟଣାଓଟରା କରି ତଳେ ପକାଇ ଦେଇଥିଲେ। ଏପରିକି ତାଙ୍କ ପୋଷାକ ଚିରି ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ମହିଳାଙ୍କ ଚିତ୍କାର ଶୁଣି ତାଙ୍କ ବାପା ବେନୁ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏହାପରେ ଦଳିତ ସାହିର ଦୁଇ ନାବାଳକଙ୍କ ସମେତ ପ୍ରାୟ ୮ ଜଣ ବିଭିନ୍ନ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚି ବେନୁ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ପୋଲିସ ମାମଲାରୁ ଜଣାପଡ଼ିଛି। ମହିଳା ଜଣକ ବେନୁଙ୍କୁ ଛଡ଼ାଇବାକୁ ଉଦ୍ୟମ କରିବା ସମୟରେ ସମେଶ ଜେନା ତାଙ୍କଠାରୁ ସୁନା ଅଳଙ୍କାର ଛଡ଼ାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।

ଘଟଣା ପରେ ଅଭିଯୁକ୍ତମାନେ ଅପତ୍ତିଜନକ ଭାଷାରେ ଗାଳିଗୁଲଜ କରି ସେଠାରୁ ପଳାଇଥିଲେ। ପରଦିନ ମହିଳା ଜଣକ ଏନେଇ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏହାକୁ ଆଧାର କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ପୂର୍ବରୁ ଅନ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 

Share