ରାଜନଗର,୨୬ା୬(ଭାସ୍କର ରାଉତରାୟ): ସମଗ୍ର ରାଜ୍ୟରେ କେଉଁଠି କେଉଁଠି ବେଆଇନ ବାଲି ଚାଲାଣକୁ ନେଇ ପୋଲିସ ପ୍ରଶାସନଙ୍କ ସହିତ ମାଫିଆଙ୍କର ମୁକାବିଲା ଏପରକି ଆକ୍ରମଣ ଭଳି ଅନେକ ଘଟଣା ସାମ୍ନାକୁ ଆସୁଛି। ଶୁକ୍ରବାର ରାଜନଗର ଭଳି ଶାନ୍ତିପୂର୍ଣ୍ଣ ଜାଗାରେ ବାଲି ବୋଝେଇ ଟ୍ରକ୍କୁ ରାଜନଗର ହଂସୁଆ ପୋଲ ଉପରୁ ଅଟକାଇବା ସମୟରେ ରାଜନଗର ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣର ଉଦ୍ୟମ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଅତିରିକ୍ତ ତହସିଲଦାର ଆଶିଷ କୁମାର ଜେନା ରାଜନଗର ପୋଲିସ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ, ଆଜି ସକାଳେ ଏକ ବାଲି ବୋଝେଇ ଟ୍ରକ ରାଜନଗର ହଂସୁଆ ସେତୁ ଉପରେ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅତିରିକ୍ତ ତହସିଲଦାର ଜେନା ଖବର ପାଇ ଉକ୍ତ ଟ୍ରକକୁ ଅଟକାଇଥିଲେ। କିନ୍ତୁ ଟ୍ରକ୍ଟି ରାଜନଗର ଗୁପ୍ତି ରାସ୍ତାରେ ଦ୍ରୁତଗତି ଯାଇ କାଠୁଆଗଣ୍ଡ ଗାଁ ରାସ୍ତାକୁ ଚାଲି ଯାଇଥିଲେ। ପାଖାପାଖି ରାଜନଗରରୁ ୧୨ କିଲୋମିଟର ଦୂରକୁ ଚାଲିଯାଇଥିଲା। ଏହି ଟ୍ରକ୍କୁ ଅତିରିକ୍ତ ତହସିଲଦାର ପିଛା କରି କାଠୁଆଗଣ୍ଡ ଛକ ନିକଟରେ ଅଟକାଇଥିଲେ। ସେଠାରେ ଟ୍ରକ୍ରେ ଥିବା ଡ୍ରାଇଭର ଓ ଅନ୍ୟାନ୍ୟ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ। ଅତିରିକ୍ତ ତହସିଲଦାର ଜେନା ରାଜନଗର ପୋଲିସକୁ ଜଣାଇଥିଲେ। ପୋଲିସ ସେଠାରେ ପହଞ୍ଚିବା ପରେ ଡ୍ରାଇଭର ଫେରାର ହୋଇଯାଇଥିଲା। ପୋଲିସ ବାଲି ବୋଝେଇ ଟ୍ରକକୁ ଜବତ କରି ରାଜନଗର ଥାନାକୁ ଆଣିଥିଲେ। ପୋଲିସ ଜବତ ଟ୍ରକ୍ ଟିକେ କେଉଁ ଅଞ୍ଚଳର ? କେଉଁଠାକୁ ବାଲି ଯାଉଥିଲା ଏନେଇ ତଦନ୍ତ ଆରମ୍ଭ କରିଛି।