ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ପୋଡ଼ି ମାରିବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ପେଟ୍ରୋଲ ଫିଙ୍ଗି ନିଆଁ ଲଗାଇବାକୁ କରୁଥିବା ଉଦ୍ୟମ ପଣ୍ଡ ହୋଇଛି ।
ସ୍ଥାନୀୟ ଲୋକେ ସେହି ଯୁବକକୁ ଧରି ଅଟକ ରଖିଥିବା ବେଳେ ଧୂଷୁରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥାନାକୁ ଆଣି ଅଟକ ରଖିଛି । ଏ ସମ୍ପର୍କରେ ଛାତ୍ରୀ ଜଣକ ଯୁବକଙ୍କ ନାମରେ ଏତାଲା ଦେଇଛନ୍ତି । ଉକ୍ତ ଯୁବକଜଣକ ଫତେପୁର ପଞ୍ଚାୟତର ଧର୍ମାଗତପୁର ଗ୍ରାମର ନିରଞ୍ଜନ ଜେନାଙ୍କ ପୁଅ ଦିଲ୍ଲିପ ଜେନା (୩୨) ।
ସୂଚନାଯୋଗ୍ୟଯେ, ଦିଲ୍ଲିପ ଉକ୍ତ ଛାତ୍ରୀଙ୍କୁ ଏକତରଫା ପ୍ରେମ କରିଥିଲେ । ହେଲେ ଛାତ୍ରୀ ଜଣକ ଏଥିରେ ଅରାଜି ହେବାରୁ ଦିଲ୍ଲିପ ଏଭଳି ଉନ୍ମତ୍ତ କାଣ୍ଡ କରିଥିବା ପରିବାର ଲୋକେ କହିଛନ୍ତି । ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଥିବା କୁହାଯାଉଛି। ଏହି ଘଟଣାରେ ଦିଲ୍ଲିପଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି । ଅନ୍ୟପକ୍ଷରେ, ସ୍ଥାନୀୟ ସୂତ୍ରରୁ ଅଭିଯୁକ୍ତ ଯୁବକଙ୍କ ପୂର୍ବରୁ ଦୁଇଟି ବିବାହ ହୋଇଥିବା ଜଣାପଡ଼ିଛି।