ମାଆଙ୍କୁ ଟଣାଓଟରା ପ୍ରତିବାଦ କରିବାରୁ ଦୁଇ ଭାଇଙ୍କୁ ଛୁରୀ ଭୁସିଲେ; ଶ୍ୱଶୁର-ଜ୍ୱାଇଁ ଗିରଫ, ଜାମିନ ଖାରଜ ପରେ…

ଦିଗପହଣ୍ଡି, ୨୪।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଭାଇଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କରାଯାଇଛି। ଏହି ଘଟଣାରେ ଦିଗପହଣ୍ଡି ପୁଲିସ ଅଭିଯୁକ୍ତ ଶ୍ୱଶୁର ଓ ଜ୍ୱାଇଁଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଛୁରୀକୁ ମଧ୍ୟ ଜବତ କରାଯାଇଛି।

ମଙ୍ଗଳବାର ସକାଳ ପ୍ରାୟ ୭ଟା ସମୟରେ ଦକ୍ଷିଣପୁର ଗ୍ରାମର ଏଲ୍. ସୁନୀଲ ରେଡ୍ଡୀଙ୍କ ମାଆ ଉଷା ରେଡ୍ଡୀ ମନ୍ଦିରକୁ ଯାଉଥିବା ବେଳେ ରାସ୍ତାରେ ଗ୍ରାମର ଏଲ୍. ବୁଲି ରେଡ୍ଡୀ ଏବଂ ତାଙ୍କ ଝିଅ ଲକ୍ଷ୍ମୀ ରେଡ୍ଡୀ ତାଙ୍କୁ ଗାଳିଗୁଲଜ କରିବା ସହ ଟଣାଓଟରା କରି ତଳେ ପକାଇ ଦେଇଥିଲେ। ମାଆଙ୍କ ପାଟି ଶୁଣି ପୁଅ ଏଲ୍. ତୋଫାନ ରେଡ୍ଡୀ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଅଭିଯୁକ୍ତ ଏଲ୍. ମୋହନ ରେଡ୍ଡୀ (୫୨) ଏକ ଛୁରୀରେ ତାଙ୍କ ବେକ ଓ ଡାହାଣ ଜଙ୍ଘକୁ ଭୁସି ଦେଇଥିଲେ।

ଭାଇକୁ ଉଦ୍ଧାର କରିବା ପାଇଁ ନିକଟରେ ଥିବା ଏଲ୍. ସୁନୀଲ ରେଡ୍ଡୀ ଦୌଡ଼ି ଆସିବାରୁ, ମୋହନଙ୍କ ଜ୍ୱାଇଁ ତଥା ଶେରଗଡ଼ ଥାନା ରାମକୃଷ୍ଣପୁର କାଳିଆଘାଇ ଗ୍ରାମର ଏ. ବିଶ୍ୱଜିତ ରେଡ୍ଡୀ ଓରଫ ବାୟା (୩୩) ଶ୍ୱଶୁରଙ୍କ ହାତରୁ ଛୁରୀ ନେଇ ସୁନୀଲଙ୍କ ପେଟକୁ ଭୁସିବାକୁ ଉଦ୍ୟମ କରିଥିଲେ। ସୁନୀଲ ଡାହାଣ ହାତରେ ଛୁରୀକୁ ଅଟକାଇ ଦେବାରୁ ତାଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ଏହାପରେ ବିଶ୍ୱଜିତ ତାଙ୍କ ମୁଣ୍ଡ ଓ ପିଠିକୁ ମଧ୍ୟ ଆକ୍ରମଣ କରିଥିଲେ।

ରକ୍ତାକ୍ତ ଅବସ୍ଥାରେ ଦୁଇ ଭାଇଙ୍କୁ ତୁରନ୍ତ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତୋଫାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସୁନୀଲ ଦିଗପହଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ।

ତଦନ୍ତକାରୀ ଅଧିକାରୀ ତଥା ଆଇଆଇସି କିଶୋର କୁମାର ସାମଲ ଥାନା ମାମଲା ନଂ- ୪୯୧/୨୬, ବିଏନଏସ (BNS) ଦଫା ୨୯୬/୧୧୫(୨)/୧୧୭(୨)/୧୧୮(୧)/୧୨୬(୨)/୩୫୧(୨)/୧୦୯/୩(୫) ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ୱଶୁର ମୋହନ ଓ ଜ୍ୱାଇଁ ବିଶ୍ୱଜିତଙ୍କୁ ଗିରଫ କରିଥିଲେ। କୋର୍ଟରେ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ୍-ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୩ ତାରିଖ ରାତି ପ୍ରାୟ ସାଢ଼େ ୧୧ଟାରେ ମୋହନ ପୂର୍ବ ଶତ୍ରୁତାରୁ ସୁନୀଲଙ୍କ ଘର ସମ୍ମୁଖରେ ଥିବା ବାଇକ୍ (ନଂ- ଓଡ଼ି ୩୩ ଏସ୍-୩୪୭୫)କୁ ପେଟ୍ରୋଲ ପକାଇ ଜାଳି ଦେଇଥିଲେ। ଏନେଇ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଅଭିଯୁକ୍ତ ଭୁବନେଶ୍ୱର ଫେରାର ହୋଇଯାଇଥିଲେ। ସେତେବେଳେ ପୁଲିସ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଅଭିଯୁକ୍ତ ଗାଁକୁ ଫେରି ପୁଣିଥରେ ଏହି ମରଣାନ୍ତକ ଆକ୍ରମଣ କରିଥିବା ସୁନୀଲ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Dharitri – Odisha’s No.1 Odia Daily

Share