ରେଲୱେ ଠିକାଦାର କ୍ୟାମ୍ପ ଉପରେ ଆକ୍ରମଣ, ମହିଳା ଶ୍ରମିକଙ୍କୁ ବଳାତ୍କାର ଉଦ୍ୟମ

କେସିଙ୍ଗା,୨୬।୩(ଡି.ଏନ୍‌.ଏ.): ସମ୍ବଲପୁର ରେଲୱେ ଡିଭିଜନ କେସିଙ୍ଗା ରେଲୱେ ଷ୍ଟେଶନର ଗୋଦାମ ନିକଟରେ ଥିବା ରେଲୱେ ଠିକାଦାରଙ୍କ କ୍ୟାମ୍ପ ଉପରେ ଗୁରୁବାର ରାତିରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଏହାସହ ୨୦ ପୁରୁଷ, ମହିଳା ଶ୍ରମିକଙ୍କୁ ମାଡ଼ ମାରିଥିବା କେସିଙ୍ଗା ଥାନାରେ ଅଭିଯୋଗ ହୋଇଛି।
ରାତିରେ ରେଲୱେ ଠିକାଦାରଙ୍କ କ୍ୟାମ୍ପରେ ଶ୍ରମିକମାନେ ଶୋଇଥିଲେ। ଏହି ସମୟରେ ଏକ ବୋଲେରୋରେ ପ୍ରାୟ ୧୦ ଜଣ ଦୁର୍ବୃତ୍ତ ଆସି ମଦ ପିଇବା ପାଇଁ ଗ୍ଲାସ ମାଗିଥିଲେ। ଶ୍ରମିକମାନେ ଆମ ପାଖରେ ଗୋଟିଏ ଗ୍ଲାସ ଅଛି, ସେଥିରେ ଆମେ ପାଣି ପଉଛୁ ଦେଇ ପାରିବୁ ନାହଁ କହିଥିଲେ। ପରେ ଦୁର୍ବୃତ୍ତମାନେ ଠେଙ୍ଗାରେ ଶ୍ରମିକଙ୍କୁ ମାଡ଼ ମାରିବା ସହିତ ମହିଳା ଶ୍ରମିକଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଏହାସହ ୨ ଟି ମୋଟର ସାଇକେଲ, ୨ଟି ମୋବାଇଲ ଓ ୪ ହଜାର ଟଙ୍କା ଲୁଟି ନେଇଛନ୍ତି । ଏ ନେଇ ଶ୍ରମିକମାନେ ରେଲୱେ ଠିକାଦାର ବୈକୁଣ୍ଠ କରୁଆଙ୍କୁ ଜଣାଇଥିଲେ। ଠିକାଦାରଙ୍କ ସମେତ ୫ ଜଣ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଠିକାଦାରଙ୍କ  ରାତ୍ର ଜଗୁଆଳୀ ହାତ ଭାଙ୍ଗି ଯାଇଛି। ଏ ନେଇ ଥାନରେ କେସ ନଂ. ୧୦୮ / ୨୧ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।