ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ ବେହେରା, ଅମର ବେହେରା ଏବଂ ଓମ କୁମାରପୁର ଗ୍ରାମ ନିକଟ ଶ୍ୟାମାକାଳୀ ବାହାର ଚିଲିକାରୁ ମାଛ ଧରୁଥିଲେ। ସୋମବାର ସନ୍ଧ୍ୟା ପ୍ରାୟ ୭ଟାରେ ହଠାତ ୨ଟି ଡଙ୍ଗାରେ ୪୦ରୁ ଊର୍ଦ୍ଧ୍ୱ ଲୋକ ଆସି ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ଧମକ ଥିଲେ। ଏପରିକି ସେମାନେ ମାଛ ନେଇଯିବା ସହ ଆକ୍ରମଣ କରିଥିଲେ। ଏକ ଭୁଜାଲିରେ ଅମର ବେହେରାଙ୍କ ମୁଣ୍ଡକୁ ହାଣି ଦେଇଥିଲେ।

ହେଲେ ଚିନ୍ମୟ କୌଶଳ କ୍ରମେ ଖସି ଚାଲି ଆସିଥିବା ବେଳେ ଓମ ଚିଲିକାରେ ନିଖୋଜ ହୋଇଯାଇଥିଲେ। ୧୫ ଘଣ୍ଟା ପରେ ଓମଙ୍କ ମୃତଦେହ ଚିଲିକାରେ ଭାସୁଥିବା ଦେଖିବାକୁ ମିଳିଥିଲା।

ଏନେଇ କୃଷ୍ଣପ୍ରସାଦ ଥାନାରେ ଏତଲା ଦିଆଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁରୀ ସଦର ଏସ୍‌ଡିପିଓ ମାନସ ଚନ୍ଦ୍ର ବାରିକ, କୃଷ୍ଣପ୍ରସାଦ ଥାନା ଆରକ୍ଷୀ ନିରୀକ୍ଷକ ବିଚିତ୍ରାନନ୍ଦ ପ୍ରଧାନ ସଦଳବଳେ ପହଞ୍ଚି ମାଲୁଦ ଅଗ୍ନିଶମ ବାହିନୀ ଚିଲିକାରୁ ଭାସୁଥିବା ମୃତଦେହ ଉଦ୍ଧାର କରିଥିଲେ। ପୋଲିସ ଏକ ମାମଲା ରୁଜ କରି ଘଟଣାର ତଦନ୍ତ ଆରମ୍ଭ କରଛି। ଏଭଳି ଘଟଣା ପ୍ରତିବର୍ଷ ଚିଲିକାରେ ଘଟୁଉଥିବା ଗ୍ରାମବାସୀ କହିଛନ୍ତି।