ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ, ସୁନା ଚେନ୍ ଓ ଟଙ୍କା ଲୁଟ୍ ଏବଂ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଏସ୍.ଆଇ. ସୋଫିଆ ମିଶ୍ର ଶୁକ୍ରବାର ପାଟପୁର ଥାନା ପଳାସପୁର ଗ୍ରାମର ଗଙ୍ଗା ଓରଫ ଗଙ୍ଗାଧର ନାଇକ (୨୩)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଥାନା ମାମଲା ନଂ ୩୭୧/୨୬ ଅନୁଯାୟୀ, ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଗଙ୍ଗାଙ୍କୁ ଦିଗପହଣ୍ଡି ସବ୍ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏଥିସହିତ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ପାଟପୁର ଥାନା ଅଞ୍ଚଳର ୨ ଜଣ ୧୭ ବର୍ଷୀୟ ନାବାଳକଙ୍କୁ ପୋଲିସ ବ୍ରହ୍ମପୁର ଯୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିବା ପରେ ବ୍ରହ୍ମପୁର ବାଳସୁଧାର ଗୃହକୁ ପଠାଯାଇଛି।
ଘଟଣା ମୁତାବକ, ଗତ ରବିବାର ରାତି ପ୍ରାୟ ୨ଟାରେ ସମିତିସଭ୍ୟ ଲଡୁ, ତାଙ୍କ ସାଙ୍ଗ ପ୍ରଭାତ ମହାନ୍ତି ଓ ପି. ଆକାଶଙ୍କ ସହ ଗାଁ ନିକଟ ଜକମେରି ପଲ୍ଲୀରେ ନାଚ ଦେଖି ବୁଲେଟ୍ ବାଇକ୍ରେ ଫେରୁଥିଲେ। ଗୁମା ଗ୍ରାମ ବଡ଼ବନ୍ଧ (ପୋଖରୀ) ନିକଟ ମୁଖ୍ୟରାସ୍ତାରେ ୨୫ରୁ ଉର୍ଦ୍ଧ୍ୱ ଯୁବକ ସେମାନଙ୍କୁ ଅଟକାଇଥିଲେ। ଭୀଷ୍ମଗିରି ଗ୍ରାମର ରାଜା ମହାନ୍ତି ଏବଂ ପଳାଶପୁରର ଗଙ୍ଗା ନାଇକ ଗାଳିଗୁଲଜ କରିବାରୁ, ପ୍ରତିବାଦ କରିବାରୁ ସେମାନେ ଖଣ୍ଡା, କାତି ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଲଡୁଙ୍କ ବେକରୁ ସୁନା ଚେନ୍, ପକେଟ୍ରୁ ନଗଦ ୩ ହଜାର ଟଙ୍କା ଲୁଟି ନେବା ସହ ବୁଲେଟ୍ ଟାୟାର ଓ ତେଲ ଟାଙ୍କିକୁ ହାଣି ଦେଇଥିଲେ।
ଏହା ଦେଖି ଆକାଶ ଓ ପ୍ରଭାତ ଦୌଡ଼ି ପଳାଇବାକୁ ଚେଷ୍ଟା କରିବାରୁ, ଶିବ କାଳୀ ନାମକ ଯୁବକ ଆକାଶଙ୍କ ମୁଣ୍ଡ ଓ ବେକକୁ ଛୁରୀରେ ଭୁଷି ଦେଇଥିଲେ। ସେହିପରି ରାଜା କାତିରେ ଆକ୍ରମଣ କରିବାରୁ ପ୍ରଭାତଙ୍କ ମୁହଁ, ମୁଣ୍ଡ, ବେକ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଉଭୟ ଚେତାଶୂନ୍ୟ ହୋଇ ରାସ୍ତାରେ ପଡ଼ିଯାଇଥିଲେ। ଲଡୁଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିଲେ ବି ସେ କୌଶଳକ୍ରମେ ସେଠାରୁ ଦୌଡ଼ି ରକ୍ଷା ପାଇଥିଲେ। ଅଭିଯୁକ୍ତମାନେ ଫେରାର ହେବା ପରେ, ଲଡୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ପ୍ରଭାତ ଓ ଆକାଶଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ସୋମବାର ରାତି ପ୍ରାୟ ସାଢ଼େ ୧୨ଟାରେ ଅଭିଯୁକ୍ତମାନେ ମାରଣାସ୍ତ୍ର ଧରି ଲଡୁଙ୍କ ଭ୍ରମରବର ପଲ୍ଲୀସ୍ଥିତ ଘର ସମ୍ମୁଖରେ ପହଞ୍ଚି ପୁନର୍ବାର ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଗ୍ରାମବାସୀ ପ୍ରତିବାଦ କରିବାରୁ ଲଡୁ ୧୧୨ ନମ୍ବରକୁ ଫୋନ୍ କରି ପୋଲିସକୁ ଜଣାଇଥିଲେ। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବାରୁ ରାଜା ମହାନ୍ତି ଓ ଅନ୍ୟ ଯୁବକମାନେ ପୋଲିସ ଗାଡ଼ି ଉପରକୁ ପଥର ଫୋପାଡ଼ିବା ସହ କିଛି ପୋଲିସ କର୍ମଚାରୀଙ୍କୁ ମାଡ଼ ମାରି ଚମ୍ପଟ ମାରିଥିଲେ।
ମଙ୍ଗଳବାର ସମିତିସଭ୍ୟ ଲଡୁ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଆଇଆଇସି କିଶୋର କୁମାର ସାମଲ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ। ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଅନୁଯାୟୀ, ଗ୍ରାମ୍ୟ ଜୁଆଖେଳ ପରିଚାଳନାକୁ କେନ୍ଦ୍ର କରି ଏହି ସଂଘର୍ଷ ଓ ଆକ୍ରମଣ ଘଟିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ଉ ଜାରି ରଖିଛି।