କେଭିପିୱାଇ ପରୀକ୍ଷାରେ ଅତୀସ ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୮।୩(ବ୍ୟୁରୋ):ବେଙ୍ଗାଲୁରୁର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଦ୍ୱାରା ପରିଚାଳିତ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା(କେଭିପିଓ୍ବାଇ) ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ୍‌ର ଛାତ୍ର ଅତୀସ କୁମାର ସାହୁ ଓଡ଼ିଶା ଟପ୍ପର ହୋଇଥିବାବେଳେ ସର୍ବଭାରତୀୟ ସ୍ତରରେ ସେ ୧୩ତମ ର଼୍ୟାଙ୍କ ଅକ୍ତିଆର କରିଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଅତୀସକୁ ଅଭିନନ୍ଦନ ଜଣାଇଛନ୍ତି।
ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ବିଜ୍ଞାନ ପାଠ୍ୟକ୍ରମ ଏବଂ ଅନୁସନ୍ଧାନ ବୃତ୍ତି ପାଇଁ ଓ ବିଜ୍ଞାନରେ ଉତ୍ସାହିତ ଛାତ୍ରୀଛାତ୍ରଙ୍କୁ ଆକର୍ଷିତ କରିବାକୁ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା ଆୟୋଜିତ କରାଯାଇଥାଏ। ଦକ୍ଷତା ଓ ବ୍ୟକ୍ତିଗତ ସାକ୍ଷାତ୍‌କାର ପ୍ରକ୍ରିୟାରେ କେଭିପିୱାଇ ପରୀକ୍ଷା କରାଯାଇଥାଏ। ୨୦୨୦-୨୧ ବର୍ଷରେ କରୋନା ପାଇଁ କେବଳ ଦକ୍ଷତା ପରୀକ୍ଷା ପ୍ରକ୍ରିୟାରେ ଚୟନ କରାଯାଇଛି। ଅତୀଶଙ୍କ ସମେତ ସାଇ ଇଣ୍ଟରନ୍ୟାଶନାଲ୍‌ ସ୍କୁଲ୍‌ର ୧୪ଜଣ ଛାତ୍ରୀଛାତ୍ର କେଭିପିୱାଇ ପାଇଁ ମନୋନୀତ ହୋଇଛନ୍ତି। ଜେଇଇ ମେନ୍‌ରେ ଓଡ଼ିଶା ଟପ୍ପର ହୋଇଥିବା ଗୌତମ ଦାସ କେଭିପିୱାଇରେ ସର୍ବଭାରତୀୟ ସ୍ତରରେ ୨୨୨ ତମ ର଼୍ୟାଙ୍କରେ ରହିଛନ୍ତି। ତେବେ ଓଡ଼ିଶା ଟପ୍ପର ହୋଇଥିବା ଅତୀସ ଭୁବନେଶ୍ୱର ବାସିନ୍ଦା ହୋଇଥିବାବେଳେ ତାଙ୍କ ବାପା ଗଗନ ବିହାରୀ ସାହୁ ଏକ ଘରୋଇ ସଂସ୍ଥାରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଓ ମା ଗୀତାଞ୍ଜଳି ସାହୁ ଜଣେ ଗୃହିଣୀ। ଅତୀସ ଦ୍ୱିତୀୟ ଶ୍ରେଣୀରୁ ବିଭିନ୍ନ କ୍ଷେତ୍ରରେ ମେଧାବୃତ୍ତି ପାଇଆସୁଛନ୍ତି। ତାଙ୍କୁ ସ୍କୁଲ ତରଫରୁ ଶତ ପ୍ରତିଶତ ସ୍କଲାରଶିପ୍‌ ଦିଆଯାଉଛି। ସେ ଭବିଷ୍ୟତରେ ଆଇଆଇଟି ଓ ମେଡିକାଲ୍‌ ପଢ଼ିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଛାତ୍ରୀଛାତ୍ରଙ୍କ ଏହି ସଫଳତାରେ ସାଇ ଇଣ୍ଟରନ୍ୟାଶନାଲ୍‌ର ପ୍ରତିଷ୍ଠାତା ଡ. ବିଜୟ କୁମାର ସାହୁ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।