ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍ଷ୍ଟାଣ୍ଡିକୁ ‘ଅଟଳ ବସ୍ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ଅଟଳ ବସ୍ଷ୍ଟାଣ୍ଡ’ ଯୋଜନାକୁ ଅନୁମୋଦନ ମିଳିଛି। ଲୋକସେବା ଭବନରେ ପୂର୍ବାହ୍ନ ସାଢ଼େ ୧୧ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ପରେ ମୁଖ୍ୟଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ କହିଛନ୍ତି, ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ସରକାରଙ୍କ ପକ୍ଷରୁ ୨୦୩୧-୩୨ ବର୍ଷ ପର୍ଯ୍ୟନ୍ତ ୩ ହଜାର ୪୦୦କୋଟି ଟଙ୍କା ଖର୍ଚ୍ଚ କରାଯିବ। ଗର୍ଗ କହିଛନ୍ତି, ରାଜ୍ୟବ୍ୟାପୀ ଜିଲା ମୁଖ୍ୟାଳୟ, ଉପଖଣ୍ଡ ମୁଖ୍ୟାଳୟ, ବ୍ଲକ ମୁଖ୍ୟାଳୟ, ପର୍ଯ୍ୟଟନସ୍ଥଳ ଏବଂ ଓଡ଼ିଶାର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ ସ୍ଥାନ ସମେତ ସହରାଞ୍ଚଳ ପୌର ସଂସ୍ଥାସ୍ତରରେ ଅଟଳ ବସ୍ଷ୍ଟାଣ୍ଡ ପ୍ରତିଷ୍ଠା କରାଯିବ; ଯାହା ଏକ ରଣନୈତିକ ଏବଂ ପରିବର୍ତ୍ତନକାରୀ ପ୍ରୟାସର ପ୍ରତିନିଧି କରିବ। ପରିବେଶଗତ ସ୍ଥିରତା ସହିତ ରାଜ୍ୟ ସାରା ସାମାଜିକ ଏକତା ବୃଦ୍ଧି, ଆର୍ଥିକ ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶ ଭଳି ବିଭିନ୍ନ ଲାଭ ପ୍ରଦାନ ପାଇଁ ଅତ୍ୟନ୍ତ ସହାୟକ ହେବ। ଏହି ଯୋଜନାର ଲକ୍ଷ୍ୟ ହେଉଛି, ରାଜ୍ୟର ସମସ୍ତ ସାର୍ବଜନୀନ ବସ୍ଷ୍ଟାଣ୍ଡକୁ ‘ଅଟଳ ବସ୍ଷ୍ଟାଣ୍ଡ’ ଯୋଜନାର ପରିଚାଳନାର ଏକ ଛାୟା ତଳେ ଏକୀକୃତ କରିବା। ଯେଉଁଥିରେ ପୂର୍ବ ଯୋଜନା ଏବଂ ରାଜ୍ୟର ସହରାଞ୍ଚଳ ପୌର ସଂସ୍ଥା ଅଧୀନରେ ଥିବା ସମସ୍ତ ବସ୍ଷ୍ଟାଣ୍ଡ ଅନ୍ତର୍ଭୁକ୍ତ କରିବ; ଯଦ୍ଦ୍ବାରା ରାଜ୍ୟ ସାରା ବିକାଶ, ନବୀକରଣ, କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣ ଏବଂ ପରିଚାଳନାରେ ସମାନତା ସୁନିଶ୍ଚିତ ହୋଇପାରିବ।
ମୁଖ୍ୟଶାସନ ସଚିବ କହିଛନ୍ତି, ଅଟଳ ବସ୍ଷ୍ଟାଣ୍ଡ ଯୋଜନା ଅଧୀନରେ ବସ୍ଷ୍ଟାଣ୍ଡଗୁଡ଼ିକୁ କ’, ଖ’ ଏବଂ ଗ’ ଶ୍ରେଣୀ ବ୍ୟବସ୍ଥାରେ ବର୍ଗୀକୃତ କରାଯିବ। ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ଯଥେଷ୍ଟ ବସ୍ ପରିବହନ ଏବଂ ଯୋଗାଯୋଗ ସୁବିଧା ଉପଲବ୍ଧ ହେବ। ସମସ୍ତ ବସ୍ଷ୍ଟାଣ୍ଡକୁ ସାର୍ବଜନୀନ ପରିବହନ ଭିତ୍ତିଭୂମି ଭାବରେ ନାମିତ ଏବଂ ସୂଚିତ କରାଯିବ । ସମନ୍ବିତ ସାର୍ବଜନୀନ ସେବା ଏବଂ ସୁବିଧା ପାଇଁ ସରକାରୀ ଏବଂ ବେସରକାରୀ ବସ୍ ଅପରେଟରମାନଙ୍କ ଦ୍ବାରା ବ୍ୟବହାର କରାଯିବ। ‘ଅଟଳ ବସ୍ଷ୍ଟାଣ୍ଡ’ ଯୋଜନା ବାଣିଜ୍ୟ ଏବଂ ପରିବହନ ବିଭାଗ ଅଧୀନରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ବାରା କାର୍ଯ୍ୟକାରୀ କରାଯିବ। ରାଜ୍ୟବ୍ୟାପୀ ବସ୍ ଷ୍ଟାଣ୍ଡଗୁଡ଼ିକର ନିର୍ମାଣ, ଉନ୍ନୟନ, ନବୀକରଣ, କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପାଇଁ ସରକାରଙ୍କ ପକ୍ଷରୁ ଆସନ୍ତା ୨୦୩୧-୩୨ ବର୍ଷ ପର୍ଯ୍ୟନ୍ତ ୩,୪୦୦ କୋଟି ଟଙ୍କାର ବଜେଟକୁ ଅନୁମୋଦନ ଦିଆଯାଇଛି ବୋଲି ମୁଖ୍ୟ ସଚିବ ଗର୍ଗ କହିଛନ୍ତି।

