ବଡ଼ଗାଁ, ୧୪।୧୧ (ଅଶୋକ ଷଡ଼ଙ୍ଗୀ): ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ବକ୍ତୃତା ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରି ସୁନ୍ଦରଗଡ଼ ଜିଲାର ବଡ଼ଗାଁ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଜିଜ୍ଞାସା ପ୍ରଧାନ। ଭୁବନେଶ୍ୱରସ୍ଥିତ ରାଜଧାନୀ ହାଇସ୍କୁଲଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ସେ ନିଜର ବକ୍ତୃତା ପ୍ରତିଭା ପ୍ରଦର୍ଶନ କରି ଏହି ସଫଳତା ହାସଲ କରିଛନ୍ତି।
ଜିଜ୍ଞାସା ବଡ଼ଗାଁ ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ। ସେ ବଡ଼ଗାଁ ବସ୍ତିର ବାସିନ୍ଦା ବାବଲୁ ପ୍ରଧାନଙ୍କ ଝିଅ। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଏଭଳି ସଫଳତା ହାସଲ କରି ଜିଜ୍ଞାସା ନିଜ ବିଦ୍ୟାଳୟ, ପରିବାର ଓ ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି।
ତାଙ୍କର ଏହି ସଫଳତାରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ପରିବାରବର୍ଗ ଓ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିବା ସହ ଜିଜ୍ଞାସାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭବିଷ୍ୟତରେ ସେ ଆହୁରି ଉଚ୍ଚ ସଫଳତା ହାସଲ କରନ୍ତୁ ବୋଲି ସମସ୍ତେ ଶୁଭକାମନା ଜଣାଇଛନ୍ତି।