ଡିଜିପିଙ୍କ ଦ୍ୱାରସ୍ଥ ହେଲେ ପୋଲିସ କର୍ମଚାରୀଙ୍କ ସ୍ତ୍ରୀ

କଟକ ଅଫିସ, ୨ା୩:ପୋଲିସ ବିଭାଗରେ କାମ କରୁଛନ୍ତି। ନା ମିଳୁଛି ଦରମା ନା ମିଳୁଛି ଛୁଟି। ଦୂରରେ ଥିବା ସ୍ବାମୀଙ୍କ ବିନା ଏକୁଟିଆ ସଂସାର ଜାଲରେ ଛନ୍ଦି ହୋଇପଡୁଛି। ପିଲାଛୁଆଙ୍କୁ ଭଲରେ ଦିମୁଠା ଖାଇବାକୁ ଦେଇପାରୁନାହିଁ। ଏଭଳି ପରିସ୍ଥିତିରେ ମୋ ସ୍ବାମୀଙ୍କୁ ନ୍ୟାୟ ଦିଆଯାଉ ବୋଲି ଡିଜିପିଙ୍କ ନିକଟରେ ଫେରାଦ ହୋଇଛନ୍ତି କଟକ ଜିଲା ବଡମ୍ବା ଅଞ୍ଚଳର ମହିଳା ପ୍ରବାସିନୀ ଚୌଧୁରୀ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରବାସିନୀଙ୍କ ସ୍ବାମୀ ବିଜୟ କୁମାର ଚୌଧୁରୀ ର୍‌ ୧୪ ବର୍ଷ ଧରି ମାଲକାନଗିରିସ୍ଥିତ ତୃତୀୟ ବାଟାଲିୟନରେ କାର୍ଯ୍ୟ କରୁଛନ୍ତି। ଘରେ ୧୦ ବର୍ଷର ପୁଅ ଓ ୨ ବର୍ଷର ଛୋଟ ଝିଅ ଅଛନ୍ତି। ସ୍ତ୍ରୀଙ୍କ ଦେହ ଅତିମାତ୍ରାରେ ଅସୁସ୍ଥ ହେବାରୁୁ ବିଜୟ ଉପରିସ୍ଥ ଅଧିକାରୀ ତଥା କମାଣ୍ଡାଣ୍ଟଙ୍କୁ ଅନ୍‌ଲାଇନ୍‌ରେ ଛୁଟି ପାଇଁ ଆବେଦନ କରିଥିଲେ। କମାଣ୍ଡାଣ୍ଟ ପ୍ରଥମେ ଛୁଟି ମଞ୍ଜୁର କରିଥିଲେ ମଧ୍ୟ ପରେ ତାହାକୁ ନାକଚ କରିଦେଇଥିଲେ। ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯାଇଥିବା ସମସ୍ତ କାଗଜପତ୍ର କମାଣ୍ଡାଣ୍ଟଙ୍କ ପାଖରେ ଦାଖଲ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ମୋର ମୁର୍ଚ୍ଛାବାତ ରୋଗ ଅଛି। ଯେକୌଣସି ସମୟରେ ଏହା ବାହାରିପାରେ। ମୋ ସ୍ବାମୀଙ୍କର ଫେବୃୟାରୀର ଦରମା ବନ୍ଦ କରିଦିଆଯାଇଛି। ଫଳରେ ଘରକୁ ଟଙ୍କା ଆସିବା ବନ୍ଦ ହୋଇଯାଇଛି। ବର୍ତ୍ତମାନ ଆମ ପରିବାର କେମିତି ଚଳିବ, ପିଲାମାନେ କେମିତି ପାଠ ପଢ଼ିବେ ବୋଲି ସେ ଅଭିଯୋଗ କରିଛନ୍ତି। କମାଣ୍ଡାଣ୍ଟଙ୍କ ବିରୋଧରେ ଉପରିସ୍ଥ ଅଧିକାରୀଙ୍କୁ ଏ ନେଇ ମୋର ସ୍ବାମୀ ଜଣାଇଥିଲେ। ହେଲେ କମାଣ୍ଡାଣ୍ଟ ମୋ ସ୍ବାମୀଙ୍କ ବିରୋଧରେ ମିଛ ମକଦ୍ଦମା ଦାଏର କରି ତାଙ୍କ ବିରୋଧରେ ପ୍ରୋସିଡିଂ କରିଛନ୍ତି ବୋଲ ପ୍ରବାସିନୀ ଅଭିଯୋଗ କରିଛନ୍ତି। ସବୁଆଡୁ ନିରାଶ ହେବା ପରେ ପ୍ରବାସିନୀ ଦୁଇବର୍ଷର ଛୁଆକୁ ଧରି ସୋମବାର କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ପହଞ୍ଚି ଡିଜିପିଙ୍କୁ ଦାବିପତ୍ର ଦେଇଥିଲେ। ତୁରନ୍ତ ଏହି ଘଟଣାର ତର୍ଜମା କରି ମୋ ସ୍ବାମୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ପ୍ରବାସିନୀ କହିଛନ୍ତି। ଏ ନେଇ ଡିଜିପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।