ମାଓବାଦୀ ଆକ୍ରମଣରେ ୩ ସିଆର୍‌ପିଏଫ୍‌ ଯବାନ ଶହୀଦ

ନୂଆପଡ଼ା ଅଫିସ,୨୧।୬: ନୂଆପଡ଼ା ଜିଲା ବୋଡେନ୍‌ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ମାଓବାଦୀଙ୍କ ଆକ୍ରମଣରେ ୩ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନମାନେ ହେଲେ ଶିଶୁପାଳ ସିଂହ, ଶିବଲାଲ ସିଂହ ଏବଂ ଧର୍ମେନ୍ଦ୍ର କୁମାର ସିଂହ। ଏମାନଙ୍କ ବ୍ୟତିତ କିଛି ଯବାନ ଆହତ ହୋଇଥିବା ସୂଚନା ରହିଛି। ସେମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଶହୀଦଙ୍କ ଲାଗି ଓଡ଼ିଶା ସରକାର ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରତି ଶହୀଦଙ୍କ ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବେ ବୋଲି କହିଛନ୍ତି।

ପ୍ରକାଶ ଯେ, ପାଟଧରାରେ ସିଆର୍‌ପିଏଫ୍‌ର ଏକ ନୂଆ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏହାକୁ ମାଓବାଦୀମାନେ ବିରୋଧ କରି ଆସୁଥିଲେ। ମଙ୍ଗଳବାର ଯବାନମାନେ ଭଇଁସାଦାନିରୁ ପାଟଧରା କ୍ୟାମ୍ପକୁ ଯାଉଥିବା ବେଳେ ମାଓବାଦୀମାନେ ଆକ୍ରମଣ କରିଥିଲେ। ପରସ୍ପର ଗୁଳି ବିନିମୟରେ ୩ ଯବାନ ଶହୀଦ ହୋଇଛନ୍ତି। ଶିଶୁପାଳଙ୍କ ଘର ଉତ୍ତରପ୍ରଦେଶର ଆଲିଗଡ଼ ହୋଇଥିବା ବେଳେ ଶିବଲାଲଙ୍କ ଘର ହରିୟାଣାର ମହେନ୍ଦ୍ରଗଡ଼ ଜିଲା ଏବଂ ଧର୍ମେନ୍ଦ୍ରଙ୍କ ଘର ବିହାରର ରୋହତସ୍‌ ଜିଲାରେ ବୋଲି ଜଣାପଡ଼ିଛି।