ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିରେ ପହଞ୍ଚିଥିଲେ। କମିଟିର ଅଧ୍ୟକ୍ଷ ତଥା ଟିଟିଲାଗଡ ବିଧାୟକ ଲକ୍ଷ୍ମଣ ବାଗ୍, କମିଟି ସଦସ୍ୟ ମୋହନା ବିଧାୟକ ଦାସରଥି ଗମାଙ୍ଗ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଏବଂ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ପ୍ରମୁଖ ସେଠାରେ ଥିବା ଉଷ୍ମ ପସ୍ରବଣ ଗରମପାଣି କୁଣ୍ଡରେ ବିରାଜିତ ମା’କନ୍ଧୁଣି ଦେବୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ।
ଗୃହକମିଟି ଗସ୍ତ ସମୟରେ ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକ ଏବଂ ପାଟପୁର ଥାନା ପୋଲିସ ଟିମ୍ ଉପସ୍ଥିତ ଥିଲେ। ଦର୍ଶନ ଓ ପୂଜାର୍ଚ୍ଚନା ପରେ ଗୃହକମିଟି ଅଧ୍ୟକ୍ଷ ଓ ସଦସ୍ୟ ବୃନ୍ଦ ଗଜପତି ଜିଲା ପାରଳାଖେମୁଣ୍ଡି ଗସ୍ତ କରିଥିଲେ। ତପ୍ତପାଣିରେ ସେଠାକାର ଜନଜାତି ସମ୍ପ୍ରଦାୟଙ୍କ ଆସ୍ଥା ବିଶ୍ୱାସ ଓ ପରମ୍ପରାର ପ୍ରତୀକ ଭାବେ ପୂଜା ପାଉଥିବା ମା ‘ କନ୍ଧୁଣି ଦେବୀ ୧୨ କୋଟି ଟଙ୍କା ଅନୁଦାନ ରେ ନିର୍ମାଣ ହେବାକୁ ଥିବା ପର୍ଯ୍ୟଟନ କ୍ଷେତ୍ରର ପାରିପାର୍ଶ୍ଵିକ ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କରିଥିଲେ।