ଆଜିଠାରୁ ବିଧାନସଭା: ୨୨ରେ ବଜେଟ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ଗୁରୁବାରଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୯ ତାରିଖ ଯାଏ ଚାଲିବ। ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ। ଫେବୃୟାରୀ ୧୯ ଓ ୨୦ ଦୁଇଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ। ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଚିଠା ବଜେଟ ପ୍ରସ୍ତୁତ କରିଛନ୍ତି। ଫେବୃୟାରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି। କୋଭିଡ୍‌ ମହାମାରୀ ଯୋଗୁ ରାଜ୍ୟର ରାଜସ୍ବ ଆଦାୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଏହା ସତ୍ତ୍ୱେ ରାଜ୍ୟ ସରକାର ଆସନ୍ତା ବଜେଟର ଆକାରକୁ ଗତ ବଜେଟ ତୁଳନାରେ ପ୍ରାୟ ୧୩ ପ୍ରତିଶତ ବୃଦ୍ଧି କରିଛନ୍ତି। ଆସନ୍ତା ୨୨ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଏହାକୁ ଉପସ୍ଥାପନ କରିବେ। ୨୦୨୦-୨୧ ପାଇଁ ରାଜ୍ୟ ସରକାର ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲେ। ସେହିପରି ୧୧ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ମଧ୍ୟ ପ୍ରସ୍ତୁତ କରିଥିଲେ।
ଫେବୃୟାରୀ ୨୫ରୁ ୨୭ ଯାଏ ବଜେଟ ଉପରେ ଆଲୋଚନା ହେବ। ମାର୍ଚ୍ଚ ୧ରୁ ୧୧ ତାରିଖ ଯାଏ ଅଧିବେଶନ ବିରତ ରହିବ। ମାର୍ଚ୍ଚ ୧୨ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ। ସେହିଦିନ ବିଧାନସଭାରେ ସମସ୍ତ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ କରାଯିବ। ମାର୍ଚ୍ଚ ୧୫ରୁ ୨୭ ଯାଏ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ମାର୍ଚ୍ଚ ୩୧ରେ ବ୍ୟୟମଞ୍ଜୁରୀ ବିଲ୍‌ ଗୃହରେ ଆଗତ ହେବ। ଏହି ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟ ଦିବସ ରହିଛି। ଚଳିତ ଅଧିବେଶନ କୋଭିଡ୍‌ କଟକଣା ମଧ୍ୟରେ ହେବ । ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅପରାହ୍ନ ୬ଟା ଯାଏ ଚାଲିବ। ପ୍ରଶ୍ନକାଳ, ମୁଲତବୀ ଆଲୋଚନା ହେବାକୁ ଥିବାରୁ ବଜେଟ ଅଧିବେଶନ ବେଶ୍‌ ସରଗରମ ହେବ । କୋଟିଆ ନିର୍ବାଚନ ପ୍ରସଙ୍ଗ ସମେତ ଆଇନଶୃଙ୍ଖଳା, ଧାନର ଅଭାବୀ ବିକ୍ରି, ନୟାଗଡ଼ ପରୀ ମାମଲା ଭଳି ଅନେକ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ।