ଆଶୀର୍ବାଦଙ୍କୁ କ୍ଲିନ୍‌ଚିଟ୍‌

କଟକ ଅଫିସ,୧୫।୯: ରାଜ୍ୟ କ୍ରୀଡାର ବରିଷ୍ଠ ସଙ୍ଗଠକ ଆଶୀର୍ବାଦ ବେହେରାଙ୍କୁ ସୁପ୍ରିମ୍‌କୋର୍ଟ କ୍ଲିନ୍‌ଚିଟ୍‌ ଦେଇଛନ୍ତି। ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ) ପକ୍ଷରୁ ବିବାଦୀୟ ଜମି ଉପରେ ଦୋକାନ ଗୃହ, କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ସିବିଆଇ ଜାଲରେ ଆଶୀର୍ବାଦ ଛନ୍ଦି ହୋଇଥିଲେ। ପରବର୍ତ୍ତୀ ସମୟରେ ସିବିଆଇ ଡିଏସ୍‌ପି ଏବଂ ଏସିବି ଭୁବନେଶ୍ୱର ଦେଇଥିବା ରିପୋର୍ଟକୁ ଆଧାରକରି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଜଷ୍ଟିସ୍‌ ଏ.ଏସ୍‌. ବୋପନ୍ନା ଏବଂ ଜଷ୍ଟିସ୍‌ ଭି. ରାମସୁବ୍ରମଣିୟମଙ୍କୁ ନେଇ ଗଠିତ ଖଣ୍ଡପୀଠ ଏବେ ଆଶୀର୍ବାଦଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି। ତେବେ ଦୀର୍ଘବର୍ଷ ଧରି ଚାଲିଥିବା ଲଢ଼େଇ ପରେ ଶେଷରେ ସତ୍ୟର ବିଜୟ ହୋଇଛି ବୋଲି ଆଶୀର୍ବାଦ କହିଛନ୍ତି।
ସୂଚନାଥାଉକି, ବାରବାଟୀ ଷ୍ଟାଡିୟମ ପରିସରରେ ରାଜ୍ୟ ସରକାରଙ୍କର ଗୋଟିଏ ଏକର ଜମି ରହିଥିଲା। ପାର୍କିଂସ୍ଥଳ ପାଇଁ ଉଦ୍ଧିଷ୍ଟ ଏହି ଜମିକୁ ଓଓଏ ଜବରଦଖଲ କରିଛି ବୋଲି ଅଭିଯୋଗ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ତଳକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ସରକାର ଲିଜ୍‌ ସୂତ୍ରରେ ଏହି ଜମି ପ୍ରଦାନ କରିଛନ୍ତି ବୋଲି ଓଓଏ ପକ୍ଷରୁ ତଳ କୋର୍ଟରେ ପ୍ରକାଶ କରାଯାଇଥିଲା। ଆବଶ୍ୟକ ପ୍ରମାଣ ଦାଖଲ ନ କରିବାରୁ ରାଜ୍ୟ ସରକାର ତଳକୋର୍ଟରେ ହାରିଥିଲେ। ପରେ ରାଜ୍ୟ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ସେଠାରେ ରହିଥିବା ବ୍ୟବସାୟିକ ପ୍ରତିଷ୍ଠାନର ବୁଝାସୁଝା ଦାୟିତ୍ୱ କଟକ ଜିଲାପାଳଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ରହିଥିଲା। ଏହା ବିରୋଧରେ ଆଶୀର୍ବାଦ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୭ ଏପ୍ରିଲ ୩ରେ ଘଟଣାର ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ସିବିଆଇ ଡିଏସ୍‌ପି ସୁପ୍ରିମକୋର୍ଟରେ ଏକ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ସେଥିରେ ସେ ବିବାଦୀୟ ଯାଗା ଉପରେ ୨୩ଟି ଦୋକାନଗୃହ ନିର୍ମାଣ ହେବା ସହ ସେଗୁଡ଼ିକୁ ଆଗ୍ରହୀ ଲୋକଙ୍କୁ ଭଡ଼ା ସୂତ୍ରରେ ଦିଆଯାଇଛି। ଯେଉଁଥିରେ କି କୌଣସି ପ୍ରକାର ଅନିୟମିତତା ହୋଇ ନ ଥିବା ଅଦାଲତ ଅନୁଭବ କରିବା ସହ ଆଶୀର୍ବାଦଙ୍କ ସପକ୍ଷରେ କ୍ଲିନ୍‌ଚିଟ୍‌ ଦେଇଥିବା ଜଣାପଡ଼ିଛି।