ସଚିବାଳୟ ଘେରିଲେ ଆଶାକର୍ମୀ

ଭୁବନେଶ୍ୱର,୬ା୧୨(ବ୍ୟୁରୋ):ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦ ସହ ବିଭିନ୍ନ ଦାବି ନେଇ ଆଶାକର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଶାକର୍ମୀ ୟୁନିଅନ ସଂଯୁକ୍ତ ମୋର୍ଚ୍ଚାର ଆହ୍ବାନକ୍ରମେ ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ଓ ପଶ୍ଚିମ ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ ହଜାର ହଜାର ଆଶାକର୍ମୀ ସୋମବାର ସଚିବାଳୟ ଘେରାଉ କରିଥିଲେ। ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଅଧୀନରେ ଗ୍ରାମାଞ୍ଚଳରେ ମା’ ଓ ଶିଶୁର ବିକାଶ ସହିତ ନିରାପଦ ମାତୃତ୍ୱ ଓ ଅନ୍ୟ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟରେ ଆଶା କର୍ମୀମାନେ ନିୟୋଜିତ ଅଛନ୍ତି। ଓଡ଼ିଶା ଭଳି ଏକ ଅନଗ୍ରସର, ପାହାଡ଼ ପର୍ବତ ଘେରା ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇବାରେ ଆଶାକର୍ମୀ କେବେ ହେଳା କରି ନ ଥିବାବେଳେ ସେମାନଙ୍କୁ ଆବଶ୍ୟକ ସୁବିଧାସୁଯୋଗ ପ୍ରଦାନରେ ରାଜ୍ୟ ସରକାର ଉଦାସୀନ ମନୋଭାବ ପୋଷଣ କରିଥିବା ସେମାନେ ଅଭିଯୋଗ କରିଥିଲେ। ଏଥିସହ ଆଶାକର୍ମୀଙ୍କୁ ୱାର୍କର ମାନ୍ୟତା, ସର୍ବନିମ୍ନ ପେନସନ୍‌, ସାମାଜିକ ନିରାପତ୍ତା, ସମସ୍ତ ପ୍ରୋତ୍ସାହନ ରାଶିକୁ ମିଶାଇ ମାସିକ ୨୧ ହଜାର ଟଙ୍କା ଭତ୍ତା ପ୍ରଦାନ, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ଅନ୍ୟାନ୍ୟ ଯୋଜନାର ଦେୟ ବା ପ୍ରିମିୟମ ଆଶାକର୍ମୀଙ୍କ ଜମାଖାତାରୁ ନ କାଟି ସରକାର ପ୍ରଦାନ କରିବା, ଅବସର ବୟସ ସୀମା ୬୫ ବର୍ଷକୁ ଓ ଅବସର ସହାୟତା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ଜନନୀ ସୁରକ୍ଷା ଯୋଜନାର ଅନୁଦାନ ବୃଦ୍ଧି ସହ ବେସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ସନ୍ତାନ ଜନ୍ମହେଲେ ସହାୟତା ରାଶି ପ୍ରଦାନ, ୧୦ ବର୍ଷର ଅଭିଜ୍ଞତା ଥିବା ଆଶାକର୍ମୀଙ୍କୁ ଏଏନ୍‌ଏମ୍‌ ପଦୋନ୍ନତି, ୫ ବର୍ଷ ଅଭିଜ୍ଞତା ଥିବା ଆଶାକର୍ମୀଙ୍କ ନର୍ସିଂ ସ୍କୁଲ କଲେଜରେ ତାଲିମ ପାଇଁ ସ୍ଥାନ ସଂରକ୍ଷଣ ଓ ଅନ୍ୟାନ୍ୟ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ତଥା ନିଖିଳ ଓଡ଼ିଶା ଆଶାକର୍ମୀ ସଂଘର ରାଜ୍ୟ ସଭାପତି ବିଜୟ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ଏନ୍‌ଏଫ୍‌ଆଇଟିୟୁ ରାଜ୍ୟ ଆବାହକ ତଥା ପଶ୍ଚିମ ଓଡ଼ିଶା ଆଶାକର୍ମୀ ସଂଘ ସଭାପତି ପ୍ରଶାନ୍ତ ପାଢ଼ୀ, ନିଖିଳ ଓଡ଼ିଶା ଆଶାକର୍ମୀ ସଂଘର ରାଜ୍ୟ ସାଧାରଣ ସମ୍ପାଦିକା ନମିତା ସାହୁ, ଏଆଇଟିୟୁସି ରାଜ୍ୟ ସମ୍ପାଦକ ଜୟନ୍ତ ଦାସ, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ ଏକ ପ୍ରତିନିଧି ଦଳ ସ୍ବାସ୍ଥ୍ୟ ଉପନିର୍ଦ୍ଦେଶକ ଅରୁଣ କୁମାର ବିଶ୍ୱାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ବଜେଟ୍‌ ଅଧିବେଶନ ପୂର୍ବରୁ ଦାବି ପୂରଣ ନ ହେଲେ ଆଶାକର୍ମୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ଘେରିବାକୁ ବାଧ୍ୟ ହେବେ ବୋଲି ଆଶାକର୍ମୀ ୟୁନିୟନ୍‌ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି।