ଅଗଷ୍ଟ ୨୧ରେ ଏଏସ୍‌ଓ ଲିଖିତ ପରୀକ୍ଷା

କଟକ ଅଫିସ,୨୩ା୬- ଆସନ୍ତା ଅଗଷ୍ଟ ୨୧ ତାରିଖରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ) ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୩୦ଟି ଜିଲା ଓ ୩ଟି ସବ୍‌ଡିଭିଜନରେ ଏହି ପରୀକ୍ଷା ହେବ। ୩ଟି ସିଟିଂରେ ଚଳିତଥର ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ସିଟିଂରେ ଜେନେରାଲ ଆୱାରନେସ (ପେପର-୧) ପରୀକ୍ଷା ପୂର୍ବାହ୍ନ ୯ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ସିଟିଂରେ ରିଜୋନିଂ ଏବଂ ମେଣ୍ଟାଲ ଆବିଲିଟି ଟେଷ୍ଟ, ଗଣିତ (ପେପର-୨) ପରୀକ୍ଷା ପୂର୍ବାହ୍ନ ୧୧ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏବଂ ତୃତୀୟ ସିଟିଂରେ ଇଂଲିଶ ଓ ଓଡିଆ (ପେପର-୩) ପରୀକ୍ଷା ଅପରାହ୍ନ ୨.୩୦ରୁ ୪.୩୦ ପର୍ଯ୍ୟନ୍ତ ଚାଲିବ। ତେବେ ଭିନ୍ନକ୍ଷମମାନଙ୍କୁ ପ୍ରତି ସିଟିଂରେ ୩୦ ମିନିଟ ଅଧିକ ସମୟ ଦିଆଯିବ। ପରୀକ୍ଷାର୍ଥୀମାନଙ୍କ ଆଡ୍‌ମିଟ୍‌ କାର୍ଡ, ପରୀକ୍ଷା କେନ୍ଦ୍ର ଏବଂ ପରୀକ୍ଷା ପାଇଁ ରହିଥିବା ନିୟମାବଳୀ ଓପିଏସ୍‌ସି ୱେବ୍‌ସାଇଟ୍‌ (www.opsc.gov.in)ରେ ଉପଲବ୍ଧ ରହିଛି।