ଭୂଅର୍ଜନ ଅଧିକାରୀଙ୍କୁ ଝାଡ଼ୁମାଡ଼

ନୟାଗଡ଼ ଅଫିସ,୨୯।୯: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ଅଧିଗ୍ରହଣ ହୋଇଥିବା ଜମି ବାବଦ ଅର୍ଥ ପ୍ରଦାନ ପାଇଁ ଲାଞ୍ଚ ମାଗିବା ଓ ମହିଳାଙ୍କୁ ଅସଦାଚରଣ କରିବା ଜଣେ ଭୂଅର୍ଜନ ଅଧିକାରୀଙ୍କ ପାଇଁ କାଳ ହୋଇଛି । ଏହାର ବିସ୍ଫୋରକ ରୂପ ବୁଧବାର ନୟାଗଡ଼ ଟାଉନ ଥାନା ଅଧୀନ ମିଶ୍ର କଲୋନୀରେ ଦେଖିବାକୁ ମିଳିଛି। ମହିଳାମାନେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଭୂ ଅର୍ଜନ ମଣ୍ଡଳ ଅଧିକାରୀ ସଞ୍ଜୟ କୁମାର ପ୍ରତିହାରୀଙ୍କୁ ଝାଡ଼ୁରେ ଗୋଡ଼ାଇ ଗୋଡ଼ାଇ ପିଟିବା ସହିତ ଅଳତା, ସିନ୍ଦୂର, ଶଙ୍ଖା ପିନ୍ଧାଇଛନ୍ତି। ନୟାଗଡ଼ ଟାଉନ ଥାନା ପୋଲିସ ପହଞ୍ଚତ୍ ଭୂ ଅର୍ଜନ ଅଧିକାରୀଙ୍କୁ ପଚରାଉଚୁରା କରିଥିଲା । ପରେ ଉପଜିଲାପାଳ ଲଗ୍ନଜିତ ରାଉତ ଓ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ ପହଞ୍ଚି ସମ୍ପୃକ୍ତ ଅଧିକାରୀଙ୍କୁ ସାଙ୍ଗରେ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ା ଏହି ଘଟଣାରେ ପୋଲିସ ୫ ମହିଳାଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଜିଲାରେ କ୍ଷତିଗସ୍ତ ଜମି ମାଲିକଙ୍କୁ ଜମି ଅଧିଗ୍ରହଣ ଟଙ୍କା ଦେବା ପାଇଁ ୧୬ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ଜିଲାପାଳ, ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଏନେଇ ଗତ ଜୁଲାଇ ୨୫ରେ ଆଦିବାସୀ ଓ ଦଳିତମାନେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଭୂ ଅର୍ଜନ ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ସେଦିନ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳଙ୍କୁ ଭେଟିବା ପରେ କାର୍ଯ୍ୟାନୁଷ୍ଠାନ ହେବାର ଆଭାସ ମିଳିଥିଲା। ତେବେ ଥାନାରେ ମାମଲା ରୁଜୁ କରି ଘଟଣାକୁ ଚାପି ଦିଆଯାଇଥିଲା। ନ୍ୟାୟ ନ ପାଇ ମହିଳାମାନେ ବାରମ୍ବାର ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଭୂ ଅର୍ଜନ ମଣ୍ଡଳ ଅଧିକାରୀଙ୍କୁ ଯୋଗାଯୋଗ କରୁଥିଲେ। ଜମି ଅଧିଗ୍ରହଣ ଟଙ୍କା ଦେବା ପାଇଁ ସେ ୫ ହଜାର ଟଙ୍କା ମାଗୁଥିଲେ। ପରେ ମହିଳାମାନଙ୍କୁ ଅସଦାଚରଣ କରିବାକୁ ସେ ପଛାଇ ନ ଥିଲେ। ଏହାକୁ ନେଇ ମହିଳାମାନେ ତାତିଥିଲେ। ବୁଧବାର ଭୂ ଅର୍ଜନ ଅଧିକାରୀ ପ୍ରତିହାରୀ ମଧ୍ୟାହ୍ନ ପ୍ରାୟ ୧୨.୪୦ରେ ଅଫିସକୁ ବାଇକ୍‌ ଯୋଗେ ଆସୁଥିବା ସମୟରେ ମହିଳାମାନେ ମିଶ୍ର କଲୋନୀ ଛକରେ ତାଙ୍କ ଅଟକାଇ ଝାଡ଼ୁରେ ପିଟିବା ସହ ସିନ୍ଦୂର, ଅଳତା ଓ କାଚ ପିନ୍ଧାଇଥିଲେ। ଏ ସଂକ୍ରାନ୍ତରେ ଭୂ ଅର୍ଜନ ଅଧିକାରୀ ପ୍ରତିହାରୀ କୁହନ୍ତି, ମୁଁ ଅଫିସକୁ ଯିବା ସମୟରେ କେତେଜଣ ମହିଳା ମୋତେ ଅଟକାଇ ଗୋଡାଇ ଗୋଡାଇ ପିଟିଲେ। ଏପରି କି ଅଳତା, ସିନ୍ଦୂର, କାଚ ପିନ୍ଧାଇଲେ। ଅଭିଯୋଗକାରୀ ବାଣିଗୋଛା ଥାନା କୁଲୁରୁକୁମ୍ପାର ପୁଷ୍ପାଞ୍ଜଳୀ ମାଝି କୁହନ୍ତି, ମୋତେ ନ୍ୟାୟ ମିଳିଲାନି। ମାମଲା ପରେ ବି ଭୂ ଅର୍ଜନ ମଣ୍ଡଳ ଅଧିକାରୀଙ୍କୁ ଗିରଫ କରାଗଲାନାହିଁ। ମୋତେ ଅଶ୍ଲୀଳ ଇଙ୍ଗିତ କରିବା ସହ ସେ ଘରକୁ ଡାକିଥିଲେ। ଏହାର ପ୍ରତିବାଦରେ ଆମେ ସେହି ଅଧିକାରୀଙ୍କୁ ଅଳତା, ସିନ୍ଦୂର ଓ କାଚ ପିନ୍ଧାଇଛୁ।