ଗୁଳିକାଣ୍ଡ ପରେ ଏଏସ୍‌ଆଇଙ୍କ ସ୍ତ୍ରୀ, ପୁଅ ରଖିଲେ ପ୍ରତିକ୍ରିୟା

ଭୁବନେଶ୍ବର,୨୯।୧(ବୁରୋ): ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିକାଣ୍ଡ ଘଟଣା ପରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ପୋଲିସ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଗିରଫ କରି ପଚରାଉଚରା କରୁଛି। ହେଲେ ଗୁଳିକାଣ୍ଡର କାରଣ ଜଣାପଡି ନ ଥିବା ବେଳେ ଏଏସ୍‌ଆଇ ଏକାକି ଗୁଳି କରିଥିବା ଜଣାପଡିଛି। ଗୁଳି ମନ୍ତ୍ରୀଙ୍କ ଛାତିରେ ବାଜିଥିବା ସୂଚନା ମିଳିଛି। ଗୁଳିକାଣ୍ଡ ଘଟଣା ପଛର କାରଣ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି।

ଅନ୍ୟପକ୍ଷେ ଗୋପାଳ ଦାସଙ୍କ ସ୍ତ୍ରୀ ଜୟନ୍ତୀ ଦାସ ନିଜ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା ସମ୍ପର୍କରେ ମୁଁ କିଛି ଜାଣି ନାହିଁ। ଝିଅଙ୍କ ସହିତ ଭିଡିଓ କଲ୍‌ରେ କଥା ହୋଇଥିଲେ। ଅଚାନକ କାମ ଅଛି କହି ଫୋନ କାଟି ଦେଇଥିଲେ। ତେଣୁ ତାଙ୍କ ସହିତ କଥା ହୋଇପାରିନାହିଁ। ଗୋପାଳ ମାନସିକ ରୋଗର ଶିକାର ଥିଲେ। ସେ ତାଙ୍କର ଚିକିତ୍ସା କରାଇଥିଲେ। ହେଲେ ମନ୍ତ୍ରୀଙ୍କ ସହିତ ଶତ୍ରୁତା ନେଇ କିଛି ଜାଣି ନାହିଁ। ଘଟଣାର ତଦନ୍ତ ହେଉ ବୋଲି ସେ କହିଛନ୍ତି।

ସେହିପରି ଏଏସ୍‌ଆଇ ଗୋପାଳ ଦାସଙ୍କ ପୁଅ ମନୋଜ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ମନୋଜ କହିଛନ୍ତି, ବାପା ପ୍ରାୟ ୮ ବର୍ଷ ହେଲା ମାନସିକ ରୋଗରେ ଆକ୍ରାନ୍ତ ହୋଇ ଔଷଧ ଖାଉଥିଲେ। ବ୍ରହ୍ମପୁରରୁ ତାଙ୍କୁ ଔଷଧ ପଠାଯାଉଥିଲା। ଅଫିସରଙ୍କୁ ଛୁଟିରେ ବାପାଙ୍କୁ ଛାଡ଼ିବାକୁ ନିଜେ ଯାଇ ଅନୁରୋଧ କରିଥିଲେ। କୋଭିଡ୍‌ ଏବଂ ଓଭରଡ୍ୟୁଟି ଯୋଗୁ ଦୁଇ ବର୍ଷ ହେଲା ଡାକ୍ତରଙ୍କ ପାଖରେ ଚେକଅପ୍‌ ହୋଇପାରି ନ ଥିବା ସେ କହିଛନ୍ତି।