Categories: Home Leftଖେଳ

ଏସୀୟ କ୍ରୀଡ଼ା: ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଭାରତ ପାଇଁ ୨୦ତମ ସ୍ବର୍ଣ୍ଣ ପଦକ ଜିତିଲେ ଅମନ ସେହରାୱତ

ନୂଆଦିଲ୍ଲୀ,୩।୧୦: ଅମନ ସେହରାୱତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ଶେଷ ମିନିଟ ପର୍ଯ୍ୟନ୍ତ ରୋମାଞ୍ଚକର ରହିଥିଲା ଏବଂ ଅମନ ଉତ୍ତର କୋରିଆର ଚୋଙ୍ଗ ସଙ୍ଗଙ୍କୁ ୧୧-୭ ବ୍ୟବଧାନରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ୨୦ତମ ଏବଂ କୁସ୍ତିରେ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ଅଟେ। ଅମନ ସେହରାୱତଙ୍କ ପାଇଁ ଏହା ପ୍ରଥମ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ; ୨୦୨୨ ଏସୀୟ କ୍ରୀଡ଼ାରେ ତାଙ୍କୁ ବ୍ରୋଞ୍ଜ ପଦକ ସହ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
ଏକ କୁସ୍ତି ମୁକାବିଲା ଛଅ ମିନିଟ ପର୍ଯ୍ୟନ୍ତ ଚାଲିଥାଏ, ଯେଉଁଥିରେ ତିନି-ତିନି ମିନିଟ ବିଶିଷ୍ଟ ଦୁଇଟି ରାଉଣ୍ଡ ରହିଥାଏ। ଅମନ ଆରମ୍ଭରୁ ୨-୦ରେ ଅଗ୍ରଣୀ ହାସଲ କରିଥିଲେ ଏବଂ ପ୍ରଥମ ତିନି ମିନିଟ ଶେଷ ବେଳକୁ ନିଜ କୋରିଆନ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଆଗରେ ରହିଥିଲେ। ତଥାପି, ପରବର୍ତ୍ତୀ ତିନି ମିନିଟରେ ଚୋଙ୍ଗ ସଙ୍ଗ ପ୍ରମାଣିତ କରିଥିଲେ ଯେ ସେ କାହିଁକି ବିଶ୍ୱର ଏକ ନମ୍ବର ଖେଳାଳି। ମୁକାବିଲାର ଚତୁର୍ଥ ଏବଂ ପଞ୍ଚମ ମିନିଟରେ ସେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ, ଯେତେବେଳେ କି ଅମନ ସେହରାୱତ କ୍ଳାନ୍ତ ଦେଖାଯାଉଥିଲେ।
ମାତ୍ର ଗୋଟିଏ ମିନିଟ ବାକି ଥିବାବେଳେ ଚୋଙ୍ଗ ସଙ୍ଗ, ଅମନଙ୍କ ଠାରୁ ୭-୬ରେ ଆଗରେ ଥିଲେ। ଉତ୍ତର କୋରିଆର କୁସ୍ତିଯୋଦ୍ଧାଙ୍କ ଆକ୍ରମଣାତ୍ମକ ଶୈଳୀ ଦେଖି ମନେ ହେଉଥିଲା ଯେ ଅମନ ହୁଏତ ଆହୁରି ପଛରେ ପଡ଼ିଯାଇପାରନ୍ତି। ତଥାପି, ଶେଷ ମିନିଟରେ ଚୋଙ୍ଗ ସଙ୍ଗ ନିଜର ଆକ୍ରମଣାତ୍ମକ ମନୋଭାବର ଶିକାର ହୋଇଥିଲେ ଏବଂ ଅମନ ଏହାର ସୁଯୋଗ ନେଇଥିଲେ।
ଶେଷ ମିନିଟରେ, ଅମନ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ‘ଟେକଡାଉନ’ (takedown) ପ୍ରୟାସକୁ ପ୍ରତିହତ କରି ତାଙ୍କୁ ମ୍ୟାଟ ଉପରେ କଚାଡ଼ି ଦେଇଥିଲେ ଏବଂ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିଥିଲେ। ଉତ୍ତର କୋରିଆ ଦଳ ରେଫରିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲା, କିନ୍ତୁ ଏହି ପଦକ୍ଷେପ ସେମାନଙ୍କ ପାଇଁ ଓଲଟା ସାବ୍ୟସ୍ତ ହୋଇଥିଲା। ଶେଷରେ, ଅମନ ସେହରାଓ୍ବତ ଏହି ମୁକାବିଲାରେ ୧୧-୭ ବ୍ୟବଧାନରେ ବିଜୟୀ ହୋଇଥିଲେ।
ଅମନ ସେହରାୱତ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ୨୦ତମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ ୨୦ଟି ସ୍ବର୍ଣ୍ଣ, ୨୬ଟି ରୌପ୍ୟ ଏବଂ ୩୬ଟି ବ୍ରୋଞ୍ଜ ପଦକ ଜିତି ସାରିଛି। ଭାରତୀୟ ଖେଳାଳିମାନେ ମୋଟ ୮୨ଟି ପଦକ ଜିତିଥିବା ବେଳେ ଦେଶ ପଦକ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି।

Dharitri – Odisha’s No.1, Most Trusted Odia Daily

Share