Asian Games 2026: ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଆପଣମାନେ ଦେଶକୁ…’

ନୂଆଦିଲ୍ଲୀ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏସୀୟ କ୍ରୀଡ଼ା ୨୦୨୬’ (Asian Games 2026) ରେ ଭାରତୀୟ ଦଳର ପ୍ରଦର୍ଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୃଢ଼ ସଂକଳ୍ପ, ଉତ୍ସାହ ଏବଂ ଉଲ୍ଲେଖନୀୟ କ୍ରୀଡ଼ା-ଭାବନା ସହ ଦେଶର ପ୍ରତିନିଧିତ୍ୱ କରିଥିବାରୁ ସେ ଖେଳାଳିମାନଙ୍କର ପ୍ରଶଂସା କରିଛନ୍ତି।
ଆଇଚି-ନାଗୋୟା କ୍ରୀଡ଼ାରେ ଭାରତ ମୋଟ ୮୫ଟି ପଦକ (୨୧ଟି ସ୍ବର୍ଣ୍ଣ, ୨୭ଟି ରୌପ୍ୟ ଏବଂ ୩୭ଟି ବ୍ରୋଞ୍ଜ) ହାସଲ କରି ଚତୁର୍ଥ ସ୍ଥାନ ଅଧିକାର କରିଛି; ଏହା ଏସୀୟ କ୍ରୀଡ଼ାର ଇତିହାସରେ ଦେଶର ଦ୍ୱିତୀୟ ସର୍ବାଧିକ ପଦକ ବିଜୟ ଅଟେ।
ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଲେଖିଛନ୍ତି, ‘ଏସୀୟ କ୍ରୀଡ଼ା ୨୦୨୬ର ସମାପ୍ତି ଅବସରରେ, ଦୃଢ଼ ସଂକଳ୍ପ, ଉତ୍ସାହ ଏବଂ ଉଲ୍ଲେଖନୀୟ କ୍ରୀଡ଼ା-ଭାବନା ସହ ଆମ ଦେଶର ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ମୋର ହୃଦୟଭରା ଅଭିନନ୍ଦନ।’
ପ୍ରଧାନମନ୍ତ୍ରୀ ଦେଶର ପଦକ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ସେମାନଙ୍କ ପ୍ରଦର୍ଶନ ଦେଶ ପାଇଁ ଅପାର ଆନନ୍ଦ ଆଣିଦେଇଛି। ସେ ଲେଖିଛନ୍ତି, ‘ଆମର ସମସ୍ତ ପଦକ ବିଜେତାଙ୍କୁ ଅଭିନନ୍ଦନ, ଯାହାଙ୍କ ପ୍ରଦର୍ଶନ ଦେଶ ପାଇଁ ଅପାର ଆନନ୍ଦ ଆଣିଦେଇଛି।’
ପ୍ରଧାନମନ୍ତ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି ଯେ ଆଇଚି-ନାଗୋୟା (Aichi-Nagoya) ରେ ହୋଇଥିବା ପ୍ରଦର୍ଶନ ଆଗାମୀ ବର୍ଷଗୁଡ଼ିକରେ ଆହୁରି ବଡ଼ ସଫଳତା ପାଇଁ ପ୍ରେରଣା ଯୋଗାଇବ ଏବଂ ତୃଣମୂଳ ସ୍ତରରେ ଭାରତର କ୍ରୀଡ଼ା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସହାୟକ ହେବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କ୍ରୀଡ଼ା ପ୍ରତିଯୋଗିତା ଭବିଷ୍ୟତର ସଫଳତା ପାଇଁ ପ୍ରେରଣାର ଉତ୍ସ ହେବ ଏବଂ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶକୁ ମଜବୁତ କରିବାରେ ଯୋଗଦାନ ଦେବ। ଜାପାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଭାରତ ଅନେକ ଐତିହାସିକ ସଫଳତା ହାସଲ କରିବା ସହ ବିଭିନ୍ନ କ୍ରୀଡ଼ାରେ ନିଜର ପୂର୍ବ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଥିଲା।
ପୁରୁଷ ଓ ମହିଳା କ୍ରିକେଟ ଦଳ ନିଜର ଏସୀୟ କ୍ରୀଡ଼ା (Asian Games) ଟାଇଟଲ ବଜାୟ ରଖିଥିବାବେଳେ ଉଭୟ କବାଡ଼ି ଦଳ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲରେ ପରାସ୍ତ କରି ନିଜର ଟାଇଟଲ ବଜାୟ ରଖିଥିଲା; ଅନ୍ୟପକ୍ଷରେ ମହିଳା ଦଳ ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ପାଇଁ ଥିବା ୪୪ ବର୍ଷର ଅପେକ୍ଷାର ଅନ୍ତ ଘଟାଇଥିଲା।
ଭାରତ ଅନେକ ଐତିହାସିକ ବ୍ୟକ୍ତିଗତ ପ୍ରଦର୍ଶନର ମଧ୍ୟ ସାକ୍ଷୀ ହୋଇଥିଲା। ପ୍ରଣବୀ ଉର୍ସ ଏସୀୟ କ୍ରୀଡ଼ାରେ ଗଲ୍ଫରେ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ହୋଇଥିବାବେଳେ, ୧୭ ବର୍ଷୀୟା କୁମକୁମ ମୋହାଡ଼ ଏହି ମହାଦେଶୀୟ ପ୍ରତିଯୋଗିତାରେ ବ୍ୟକ୍ତିଗତ ରିକର୍ଭ (recurve) ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ଭାବେ ଇତିହାସ ସୃଷ୍ଟି କରିଥିଲେ।
ଏସୀୟ କ୍ରୀଡ଼ାର ବକ୍ସିଂରେ ସ୍ବର୍ଣ୍ଣ ପଦକ ଜିତିବାରେ ମେରି କମଙ୍କ ପରେ ଦ୍ୱିତୀୟ ଭାରତୀୟ ମହିଳା ଭାବେ ଲଭଲିନା ବୋର୍ଗୋହାଇନ ମଧ୍ୟ ଏକ ସମ୍ମାନଜନକ ତାଲିକାରେ ନିଜ ନାମ ସାମିଲ କରିଥିଲେ।
ଭାରତ ଆଥଲେଟିକ୍ସରେ ସର୍ବାଧିକ ସଂଖ୍ୟକ ପଦକ (୨୪) ହାସଲ କରିଥିଲା ଏବଂ ଏହା ପଛକୁ ସୁଟିଂରେ ୧୫ଟି ପଦକ ଜିତିଥିଲା। ସ୍ବର୍ଣ୍ଣ ପଦକ ଦୃଷ୍ଟିରୁ ତୀରନ୍ଦାଜୀ (archery) ସବୁଠାରୁ ସଫଳ କ୍ରୀଡ଼ା ସାବ୍ୟସ୍ତ ହୋଇଥିଲା, ଯେଉଁଥିରେ ଭାରତ ପାଞ୍ଚଟି ସ୍ବର୍ଣ୍ଣ ପଦକ ଜିତିଥିଲା।

Dharitri – Odisha’s No.1, Most Trusted Odia Daily

Share