Categories: ଖେଳ

ଆଇପିଏଲ୍‌ ପରେ ଏସିଆ କପ୍‌ ଭେନ୍ୟୁ ସମ୍ପର୍କରେ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୫ା୫: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫାଇନାଲ ପରେ ଏସିଆ କପ୍‌ କ୍ରିକେଟର ଭେନ୍ୟୁ ସମ୍ପର୍କରେ ନିଷ୍ପିତ୍ତି ନିଆଯିବ। ଫାଇନାଲକୁ ଏସିଆନ କ୍ରିକେଟ କାଉନ୍‌ସିଲ (ଏସିସି)ର ଉଚ୍ଚପଦଧିକାରୀମାନଙ୍କୁ ଆମନ୍ତ୍ରିତ କରାଯାଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ପ୍ରକାଶ କରିଛନ୍ତି। ଚଳିତବର୍ଷର ଏସିଆ କପ୍‌ ଆୟୋଜନ ଅଧିକାର ପାକିସ୍ତାନକୁ ମିଳିଛି। ମାତ୍ର ସରକାରଙ୍କ ବିନା ଅନୁମତିରେ ପଡ଼ୋଷୀ ଦେଶକୁ ଏହାର ଦଳ ନ ପଠାଇବା ଲାଗି ବିସିସିଆଇ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ବିକଳ୍ପ ପ୍ରସ୍ତାବ ସ୍ବରୂପ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଚେୟାରମ୍ୟାନ ନଜମ ସେଠୀ ଏକ ‘ହାଇବ୍ରିଡ୍‌ ମଡେଲ’ ପ୍ରସ୍ତାବ ରଖିଛନ୍ତି। ତଦନୁସାରେ ପାକିସ୍ତାନ ନିଜ ମାଟିରେ ଅତି କମ୍‌ରେ ୪ଟି ଗେମ୍‌ ଆୟୋଜନ କରିବ। ଭାରତ ଏହାର ମ୍ୟାଚଗୁଡ଼ିକ ନିରପେକ୍ଷ ଭେନ୍ୟୁରେ ଖେଳିବ। ତେବେ ଆଇପିଏଲ୍‌ ଫାଇନାଲକୁ ସେଠୀଙ୍କୁ ଆମନ୍ତ୍ରଣ କରାଯାଇଛି କି ନା ତାହା ସ୍ପଷ୍ଟ ହୋଇନାହିଁ। ଏଣେ ଜୟ ଶାହା କହିଛନ୍ତି ବର୍ତ୍ତମାନ ସୁଦ୍ଧା ଏସିଆ କପ୍‌ ଆୟୋଜନ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଆଇପିଏଲ ଫାଇନାଲ ଦେଖିବାକୁ ଶ୍ରୀଲଙ୍କା, ବାଂଲାଦେଶ ଓ ଶ୍ରୀଲଙ୍କାର ଉଚ୍ଚ ପଦାଧିକାରୀମାନେ ଆସିବେ। ସେମାନଙ୍କ ସହ ଆଲୋଚନା ପରେ ଯାହା ନିଷ୍ପତ୍ତି ନିଆଯିବ। ଏସିସି ତରଫରୁ କୌଣସି ଆନୁଷ୍ଠାନିକ ବିବୃତ୍ତି ଦିଆଯଇ ନ ଥିଲେ ମଧ୍ୟ ସେଠୀଙ୍କ ‘ହାଇବ୍ରିଡ୍‌ ମଡେଲ’ ପ୍ରସ୍ତାବ ସମାଧାନର ପନ୍ଥା ବୋଲି ମନେ କରାଯାଉଛି। ଏହି ପ୍ରସ୍ତାବ ଅନୁସାରେ ଶ୍ରୀଲଙ୍କା, ବାଂଲାଦେଶ, ନେପାଳ ଓ ଆଫଗାନିସ୍ତାନ ସେମାନଙ୍କର ୪ ପ୍ରିଲିମିନାରୀ ମ୍ୟାଚ ପାକିସ୍ତାନରେ ଖେଳିବେ। ପାକିସ୍ତାନ ଓ ଭାରତ ସେମାନଙ୍କ ଗେମ୍‌ଗୁଡ଼ିକ ନିରପେକ୍ଷ ଭେନ୍ୟୁରେ ଖେଳିବେ। ଭାରତ ଓ ପାକିସ୍ତାନ ମଧ୍ୟରେ ଦୁଇଟି ମ୍ୟାଚ ୟୁଏଇରେ ଖେଳାଯାଉ ବୋଲି ପିସିବି ଚାହୁଥିବା ବେଳେ ତାହା ଶ୍ରୀଲଙ୍କାରେ ହୋଇପାରେ। କାରଣ ସେପ୍ଟେମ୍ବର ବେଳକୁ ୟୁଏଇରେ ପାଗ ଅନୁକୂଳ ନ ଥିବ। ଏସିସି ମୁଖ୍ୟ ଜୟ ଶାହା ଆନୁଷ୍ଠାନିକ ଭାବେ ଏସିସି ବୈଠକ ଡକାଇବେ। ଏଥିରେ ଏସିଆକପ୍‌ ଭେନ୍ୟୁ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯବ। ଭାରତ ନିରପେକ୍ଷ ଭେନ୍ୟୁରେ ଖେଳିଲେ ପିସିବିର କୌଣସି ଆପତ୍ତି ନ ଥିବା କୁହାଯାଉଛି।

Share