ନୂଆଦିଲ୍ଲୀ, ୨୮।୧୧: ଏସିଆ କପ ରାଇଜିଂ ଷ୍ଟାର୍ସର ଦ୍ୱିତୀୟ ଫାଇନାଲିଷ୍ଟ ହୋଇଛି ପାକିସ୍ତାନ-ଏ। ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଦଳ ବାଂଲାଦେଶ-ଏକୁ ୫ ଉଇକେଟ୍ରେ ପରାସ୍ତ କରିଛି। ଏହି ମ୍ୟାଚରେ ଟସ୍ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିଥିଲା। ଟୁର୍ନାମେଣ୍ଟରେ ପାକିସ୍ତାନର ବୋଲିଂ ଦମଦାର ରହିଥିବା ବେଳେ ସେମିଫାଇନାଲରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଥିଲା। ବାଂଲାଦେଶ ଦଳ ୨୩୨ ରନରେ ସୀମିତ ରହିଥିଲା। ଜବାବରେ ପାକିସ୍ତାନ ଦଳ ସହଜରେ ଲକ୍ଷ୍ୟ ହାସଲ କରିନେଇଥିଲା।
୨୩୩ ରନର ଲକ୍ଷ୍ୟ ପିଛା କରୁଥିବା ପାକିସ୍ତାନର ଆରମ୍ଭ ଭଲ ହୋଇନଥିଲା। ଦୁଇ ଓପନର ଶମିଲ ହୁସେନ (୧୪) ଏବଂ ମାଜ ସଦାକତ (୬) ଶସ୍ତାରେ ଆଉଟ ହୋଇଯାଇଥିଲେ। ମାତ୍ର ୨୧ ରନରେ ୨ଟି ଉଇକେଟ୍ ହରାଇବା ପରେ ଶାହଜେବ ଖାନ ଓ ହସନ ନୱାଜଙ୍କ ମଧ୍ୟରେ ତୃତୀୟ ଉଇକେଟ୍ ପାଇଁ ୧୧୦ ରନର ଭାଗୀଦାରି ହୋଇଥିଲା।
ଶାହଜେବ ଅର୍ଦ୍ଧଶତକ ହାସଲ କରିଥିଲେ। ୮୫ଟି ବଲରେ ସେ ୩ଟି ଚୌକା ଓ ଗୋଟିଏ ଛକା ସହ ଆକର୍ଷଣୀୟ ଇନିଂସ ଖେଳିଥିଲେ। ଅନ୍ୟପଟେ ହସନ ନୱାଜ ୯୧ଟି ବଲରେ ୩ଟି ଛକା ଓ ୩ଟି ଚୌକା ସହ ୬୨ ରନ କରିଥିଲେ।
ପାକିସ୍ତାନ ଅଧିନାୟକ ଅବଦୁଲ ସମଦ ୩୩ଟି ବଲରେ ୪ଟି ଛକା ଓ ୨ଟି ଚୌକା ସହ ୪୪ ରନ କରିଥିଲେ। ଫରହାନ ୟୁସୁଫ ୩୯ଟି ବଲରେ ୪ଟି ଚୌକା ଓ ୨ଟି ଛକା ସହ ୪୬ ରନ କରି ଅପରାଜିତ ରହିଥିଲେ। ପାକିସ୍ତାନ ଦଳ ୨୮ଟି ବଲ ବାକି ଥାଇ ବିଜୟ ହାସଲ କରିଥିଲା।
ଏହା ପୂର୍ବରୁ ବାଂଲାଦେଶ-ଏ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ଉଇକେଟ୍ ହରାଇ ୨୩୨ ରନ କରିଥିଲା। ଦଳ ପକ୍ଷରୁ ଶାହଦତ ହୁସେନ ଶତକୀୟ ଇନିଂସ ଖେଳିଥିଲେ। ସେ ୧୧୮ଟି ବଲ୍ରେ ୭ଟି ଚୌକା ଓ ୩ଟି ଛକା ସହ ୧୦୩ ରନ କରି ଅପରାଜିତ ରହିଥିଲେ। ପାକିସ୍ତାନ ପକ୍ଷରୁ ସୁଫିୟାନ ମୋକିମ ସର୍ବାଧିକ ୩ଟି ଉଇକେଟ୍ ନେଇଥିଲେ। ଅଲି ରଜା ଓ ହସନ ନୱାଜ ୨ଟି ଲେଖାଏ ଉଇକେଟ୍ ହାସଲ କରିଥିଲେ।