ନୂଆଦିଲ୍ଲୀ,୨୨।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ଭାରତ A ଏବଂ ପାକିସ୍ତାନ A ମଧ୍ୟରେ ମହାମୁକାବଲା ହେବାକୁ ଯାଉଛି। ଉଭୟ ଦଳ ଟୁର୍ନାମେଣ୍ଟରେ ନିଜର ପ୍ରଥମ ମ୍ୟାଚ୍ରେ ବିଜୟ ହାସଲ କରିଛନ୍ତି ଏବଂ ଏବେ ସେମାନେ ଏହି ଧାରାକୁ ବଜାୟ ରଖିବାକୁ ଓହ୍ଲାଇବେ। ପାକିସ୍ତାନ ଏବଂ ଭାରତ ମଧ୍ୟରେ କ୍ରିକେଟ ପଡ଼ିଆରେ ଜବରଦସ୍ତ ପ୍ରତିଦ୍ୱନ୍ଦ୍ୱିତା ରହିଆସିଛି ଏବଂ ଯେତେବେଳେ ବି ଉଭୟ ଦଳ ମୁହାଁମୁହିଁ ହୁଅନ୍ତି, ରୋମାଞ୍ଚ ଦୁଇଗୁଣା ହୋଇଯାଏ। ପାକିସ୍ତାନ A ବିପକ୍ଷ ଏହି ମହାମୁକାବିଲାରେ ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଷେକ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବାକୁ ଯାଉଛି।
ACC ମେନ୍ସ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ଭାରତ A ଏବଂ ପାକିସ୍ତାନ A ମଧ୍ୟରେ ୨୨ ନଭେମ୍ୱର ଅର୍ଥାତ୍ ଆଜି ମ୍ୟାଚ ଖେଳାଯିବାକୁ ଯାଉଛି। ଉଭୟ ଦଳ ଗ୍ରୁପ Bର ଅଂଶ ଅଟନ୍ତି ଏବଂ ଟୁର୍ଣ୍ଣାମେଣ୍ଟର ଅଷ୍ଟମ ମ୍ୟାଚ୍ରେ ମୁହାଁମୁହିଁ ହେବେ। ଦୋହାର ୱେଷ୍ଟ ଏଣ୍ଡ ପାର୍କ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ। ଭାରତ A ଏବଂ ପାକିସ୍ତାନ A ମଧ୍ୟରେ ଏହି ମ୍ୟାଚ ଭାରତୀୟ ସମୟାନୁସାରେ ଅପରାହ୍ନ ୩:୩୦ରେ ଆରମ୍ଭ ହେବ। ଏହି ମହାମୁକାବିଲା ସୋନି ସ୍ପୋର୍ଟସ ନେଟୱାର୍କର ଟିଭି ଚ୍ୟାନେଲ ଏବଂ ସୋନି ଲିଭ (SonyLIV) ଆପ ଜରିଆରେ ଲାଇଭ ଦେଖାଯାଇ ପାରିବ।
ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଷେକ ଶର୍ମା ଭାରତୀୟ କ୍ରିକେଟ୍ର ଦୁଇ ସବୁଠାରୁ ଚର୍ଚ୍ଚିତ ତାରକା। ଉଭୟ ଭାରତୀୟ T20I ଦଳର ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟନ୍ତି ଏବଂ ଏବେ ଦିନିକିଆରେ ମଧ୍ୟ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରୁଛନ୍ତି। ଏହି କାରଣରୁ ଚୟନକର୍ତ୍ତାମାନେ ସେମାନଙ୍କୁ ଦିନିକିଆ ଫର୍ମାଟରେ ଆୟୋଜିତ ACC ଏସିଆ କପ ରାଇଜିଂ ଷ୍ଟାର୍ସ ଟୁର୍ଣ୍ଣାମେଣ୍ଟରେ ସାମିଲ କରିଛନ୍ତି। ଅଭିଷେକ ଶର୍ମାଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ନେପାଳ ବିପକ୍ଷ ପ୍ରଥମ ମ୍ୟାଚ ସେତେଟା ଭଲ ନଥିଲା ଏବଂ ସେ ଦୁଇ ଅଙ୍କ ବିଶିଷ୍ଟ ସ୍କୋର ଛୁଇଁ ପାରିନଥିଲେ। ତଥାପି, ଏବେ ପାକିସ୍ତାନ A ବିପକ୍ଷରେ ଅଭିଷେକ ବଡ଼ ଇନିଂସ ଖେଳି ନିଜର ଛାପ ଛାଡ଼ିବାକୁ ଚାହିଁବେ। ପାକିସ୍ତାନ ବିପକ୍ଷରେ ତାଙ୍କର ରେକର୍ଡ ଭଲ ରହିଛି।
ବୈଭବ ସୂର୍ଯ୍ୟବଂଶୀ ଚମତ୍କାର ଫର୍ମରେ ଅଛନ୍ତି ଏବଂ ନେପାଳ ବିପକ୍ଷ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ର ପ୍ରଥମ ମ୍ୟାଚ୍ରେ ସେ ୨୬ ରନ କରିଥିଲେ। ଭଲ ଆରମ୍ଭ ମିଳିବା ସତ୍ତ୍ୱେ ବୈଭବ ନିଜ ଇନିଂସକୁ ବଡ଼ କରିପାରିନଥିଲେ। ଏବେ ୧୫ ବର୍ଷୀୟ ଏହି ଯୁବ ତାରକା ପାକିସ୍ତାନ A ବିପକ୍ଷରେ ନିଜ ଛାପ ଛାଡ଼ିବାକୁ ଚାହିଁବେ। ବୈଭବ ଗତ ବର୍ଷ ଏସିଆ କପ ରାଇଜିଂ ଷ୍ଟାର୍ସରେ ପାକିସ୍ତାନ A ବିପକ୍ଷରେ ୨୮ଟି ବଲ୍ରେ ୪୫ ରନ କରିଥିଲେ। ତଥାପି, ସେହି ଟୁର୍ଣ୍ଣାମେଣ୍ଟ T20 ଫର୍ମାଟରେ ଆୟୋଜିତ ହୋଇଥିଲା। ଏବେ ସୂର୍ଯ୍ୟବଂଶୀ ପୁଣିଥରେ ପାକିସ୍ତାନର A ଦଳ ବିପକ୍ଷରେ ବଡ଼ ଇନିଂସ ଖେଳିବାକୁ ଚାହିଁବେ, କିନ୍ତୁ ଏଥର ତାଙ୍କ ପାଖରେ ଯଥେଷ୍ଟ ଓଭର ରହିବ।