ପାକିସ୍ତାନଠୁ ହାରିଲା ଭାରତ: ଏବେ ସେମିଫାଇନାଲରେ ପହଞ୍ଚିବା ପାଇଁ ପାଖରେ ଅଛି ଏହି ଗୋଟିଏ ରାସ୍ତା

ନୂଆଦିଲ୍ଲୀ,୨୩।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ପାକିସ୍ତାନ ବିପକ୍ଷରେ ଶୋଚନୀୟ ପରାଜୟର ସାମ୍ନା କରିଛି ଇଣ୍ଡିଆ-A ଦଳ। ନଭେମ୍ବର ୨୨ରେ ଦୋହାର ୱେଷ୍ଟ ଏଣ୍ଡ ପାର୍କ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ-A ୩୧୪ ରନର ବିଶାଳ ଲକ୍ଷ୍ୟ ଦେଇଥିଲା। ଜବାବରେ ଇଣ୍ଡିଆ-A ୨୬୫ ରନରେ ଅଲଆଉଟ ହୋଇଯାଇଥିଲା। ଫଳରେ ପାକିସ୍ତାନ-A ୪୮ ରନରେ ବିଜୟୀ ହୋଇଥିଲା। ଏହି ବିଜୟ ସହ ପାକିସ୍ତାନ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା ବେଳେ ପରାଜୟ ପରେ ଭାରତୀୟ ଦଳ ପାଇଁ ଆଗକୁ ବଢ଼ିବାର ରାସ୍ତା କଷ୍ଟକର ହୋଇପଡ଼ିଛି।

ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ପାକିସ୍ତାନ-A, ଭାରତ-A, ନେପାଳ ଏବଂ ୟୁଏଇ ଗ୍ରୁପ-Bରେ ସ୍ଥାନ ପାଇଛନ୍ତି। ୟୁଏଇ ନିଜର ପ୍ରଥମ ଦୁଇଟି ମ୍ୟାଚ ହାରି ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛି। ଅନ୍ୟପକ୍ଷରେ ପାକିସ୍ତାନ-A ଓ ଭାରତ-A ନିଜ ନିଜର ପ୍ରଥମ ମ୍ୟାଚ ଜିତିଥିଲେ। ହେଲେ ପାକିସ୍ତାନ ଭାରତକୁ ହରାଇ ଗ୍ରୁପ-B ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଛି। ଏହା ସହ ଦଳ ସେମିଫାଇନାଲରେ ପ୍ରବେଶ କରିଛି।

ଅନ୍ୟପକ୍ଷରେ ଭାରତ-A ଓ ନେପାଳ ଗୋଟିଏ ଲେଖାଏ ବିଜୟ ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ତେଣୁ ଇଣ୍ଡିଆ-A ପାଇଁ ସେମିଫାଇନାଲ ରାସ୍ତା ସହଜ ହେବ ନାହିଁ। ଇଣ୍ଡିଆ-Aର ପରବର୍ତ୍ତୀ ମ୍ୟାଚ ୟୁଏଇ ବିପକ୍ଷରେ ରହିଛି। ଏହି ମ୍ୟାଚରେ ଭାରତୀୟ ଦଳ ବିଜୟୀ ହେଲେ ସିଧାସଳଖ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବ। କାରଣ ନେପାଳ ତୁଳନାରେ ଭାରତର ନେଟ ରନ୍‌ରେଟ ଭଲ ରହିଛି।

ଯଦି ନେପାଳ ନିଜର ପରବର୍ତ୍ତୀ ମ୍ୟାଚରେ ପରାଜିତ ହୁଏ, ତେବେ ଭାରତ-A ବିଜୟୀ ନ ହେଲେ ମଧ୍ୟ ଭଲ ନେଟ ରନ୍‌ରେଟ ଆଧାରରେ ସେମିଫାଇନାଲରେ ପହଞ୍ଚିପାରିବ। ଅନ୍ୟପକ୍ଷରେ ଭାରତ-A ବିଜୟୀ ହେଲେ ନେପାଳକୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ। ଯାହା ବର୍ତ୍ତମାନ ସ୍ଥିତିରେ କଷ୍ଟକର ମନେ ହେଉଛି। ତିଲକ ବର୍ମାଙ୍କ ନେତୃତ୍ୱାଧୀନ ଇଣ୍ଡିଆ-A ଦଳକୁ ଏବେ ଯେକୌଣସି ପରିସ୍ଥିତିରେ ବିଜୟ ହାସଲ କରିବାକୁ ପଡ଼ିବ।

 

Dharitri – Odisha’s No.1 Odia Daily

Share