Categories: ଖେଳ

ଶୁକ୍ରବାର ଘୋଷଣା ହେବ ଏସିଆ କପ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୧୩।୭: ଏସିଆ କପ ୨୦୨୩ର କାର୍ଯ୍ୟସୂଚୀ ଖୁବ୍‌ଶୀଘ୍ର ଜାରି କରାଯିବ। ତେବେ ଶୁକ୍ରବାର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ବିଶ୍ୱାସ କରାଯାଉଛି। କିନ୍ତୁ ଭାରତ-ପାକିସ୍ତାନ ମ୍ୟାଚରେ ପ୍ରଶଂସକଙ୍କ ଆଖି ରହିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ କେବେ ଖେଳାଯିବ? ଏଥି ସହିତ ବିସିସିଆଇ ଏବଂ ପିସିବି ହାଇବ୍ରିଡ ମଡେଲ ଉପରେ ସହମତ ହୋଇଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଦମ୍ବୁଲାରେ ଖେଳାଯିବ। ଯଦିଓ, କଲମ୍ବୋରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ସ୍ଥିର ହୋଇଛି ଯେ ଭାରତ-ପାକିସ୍ତାନ ମ୍ୟାଚ ଦମ୍ବୁଲାରେ ଖେଳାଯିବ।

ଏଥି ସହ ବିସିସିଆଇ ସଚିବ ଜୟ ଶାହା ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ଜାକା ଅଶ୍ରଫ ଡର୍ବାନରେ ସାକ୍ଷାତ କରିଥିଲେ। ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ, ଏସିଆ କପ କାର୍ଯ୍ୟସୂଚୀରେ ଦୁଇ ବୋର୍ଡ ମଧ୍ୟରେ ଏକ ଚୁକ୍ତି ହୋଇଛି। ହାଇବ୍ରିଡ ମଡେଲରେ ଏସିଆ କପ ୨୦୨୩ ଆୟୋଜିତ ହେବ। ଅର୍ଥାତ୍‌ ଏହି ଟୁର୍ନାମେଣ୍ଟର ମ୍ୟାଚ ପାକିସ୍ତାନ ବ୍ୟତୀତ ଶ୍ରୀଲଙ୍କାରେ ଖେଳାଯିବ। ଖବର ଅନୁଯାୟୀ ଶ୍ରୀଲଙ୍କା ୯ଟି ମ୍ୟାଚ ଆୟୋଜନ କରୁଥିବାବେଳେ ବାକି ୪ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ। ତେବେ କେଉଁ ଦିନ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ, ଖୁବ୍‌ଶୀଘ୍ର ଏହି ଘୋଷଣା ହେବ।

Share